ବ୍ୟବସାୟୀ ସ୍ୱାମୀଙ୍କୁ ଶ୍ରମିକ ସଜାଇଲେ ଜିଆର୍‌ଏସ୍‌

ଏପଟେ ମାଲ୍ ଯୋଗାଇଲେ; ସେପଟେ ମଜୁରି ଉଠାଇଲେ

କେନ୍ଦ୍ରାପଡ଼ା/ଆଳି : କେନ୍ଦ୍ରାପଡ଼ାର ଆଳି ବ୍ଲକ୍ ଅନ୍ତର୍ଗତ ପଦନୀପାଳ ପଂଚାୟତରେ ହୋଇଥିବା ଦୁର୍ନୀତିକୁ ନେଇ ଖୋଳତାଡ଼ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି। ରାଜୀବ ସେବା କେନ୍ଦ୍ର ପରି ହରିଜନ ସାହି ଅଂଗନବାଡ଼ି କେନ୍ଦ୍ର ନାଁରେ ଯେଉଁ ୫ଲକ୍ଷ ଟଙ୍କା ହଡ଼ପ କରାଯାଇଛି, ସେଥିରେ ସରପଂଚଙ୍କ ସହିତ ଜିଆରଏସ୍‌ଙ୍କ ସ୍ବାମୀ ବି ଭେଣ୍ଡର୍‌ ଥିଲେ। ଉଭୟ ନିର୍ମାଣ ବାବଦକୁ ସମସ୍ତ ପ୍ରକାର ସାମଗ୍ରୀ (ଇଟା, ଗୋଡ଼ି, ରଡ, ବାଲି ଇତ୍ୟାଦି) ଯୋଗାଇ ବିଲ୍‌ ଉଠାଇଥିବା କାଗଜତପତ୍ରରେ ଦର୍ଶାଯାଇଛି। କିନ୍ତୁ କୌତୂହଳର କଥା ହେଉଛି, ଜିଆରଏସ୍‌ଙ୍କ ସ୍ବାମୀ କେବଳ ଭେଣ୍ଡର୍‌ ସାଜିଛନ୍ତି ତା’ନୁହେଁ; ମୂଲ ଲାଗି ମଜୁରି ନେଇଥିବା ରେକର୍ଡ କହୁଛି। ଅର୍ଥାତ୍ ଟଙ୍କା ହଡ଼ପ କରିବା ପାଇଁ ନିଜ ବ୍ୟବସାୟୀ ସ୍ବାମୀଙ୍କୁ ବି ଶ୍ରମିକ ସଜାଇବାକୁ ଜିଆରଏସ୍‌ ପତ୍ନୀ ପଛଘୁଞ୍ଚା ଦେଇ ନାହାନ୍ତି। ଏ ଘଟଣା ଧରାପଡ଼ିଯିବା ପରେ ଗୋଟିଏପଟେ ଜିଆରଏସ୍‌ଙ୍କ ବେନିୟମ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ  ଅନ୍ୟପଟେ କିଭଳି ମିଳିମିଶି ଟଙ୍କା ହଡ଼ପ ହୋଇଛି, ତାହା ଚର୍ଚ୍ଚାର ବିଷୟ ହୋଇଛି।

ନିୟମ କହୁଛି, ଯିଏ ଭେଣ୍ଡର୍‌ ହୋଇଥିବେ, ସିଏ ଜବ୍‌କାର୍ଡଧାରୀ ହୋଇପାରିବେ ନାହିଁ। ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଣ ନିମନ୍ତେ ଅନୁମତି ପାଇଥିବା ଜଣେ ବ୍ୟବସାୟୀ କିଭଳି ଶ୍ରମିକ ହେବ? ମାତ୍ର ପଦନୀପାଳ ପଂଚାୟତରେ ଏ ସବୁ ସମ୍ଭବ ହୋଇଛି। ପଂଚାୟତର ଜିଆରଏସ୍‌ ପ୍ରଜ୍ଞାପାରମିତା ରାୟଙ୍କ ସ୍ବାମୀ ସୁଶାନ୍ତ ରାୟ ହରିଜନ ସାହି ଅଂଗନବାଡ଼ି କେନ୍ଦ୍ର ପ୍ରକଳ୍ପରେ ସମସ୍ତ ପ୍ରକାର ସାମଗ୍ରୀ ‌େଯାଗାଇବା ପାଇଁ ସରପଂଚ ରାକେଶ ରାଉତଙ୍କ  ସହିତ ଭେଣ୍ଡର୍‌ ହୋଇଛନ୍ତି। କିନ୍ତୁ କେନ୍ଦ୍ର ନିର୍ମାଣ ନ କରି କାଗଜପତ୍ରରେ ମିଥ୍ୟା ତଥ୍ୟ ଦେଇ ଯେଉଁ ୫ଲକ୍ଷ ଟଙ୍କା ହଡ଼ପ କରିଛନ୍ତି, ତାହା ଚକିତ କଲା ଭଳି। ୨୦୧୯, ଫେବ୍ରୁଆରି ୨୦ରେ ଏହି ପ୍ରକଳ୍ପ ପାଇଁ ଅନୁଦାନ ମଂଜୁର ହୋଇଥିବା ବେଳେ କାମ ଏପ୍ରିଲ୍ ୧୨ ତାରିଖରେ ଆରମ୍ଭ ହୋଇଛି। ମନରେଗାରେ କାମ ହୋଇଛି ଏବଂ ୪୦ ଜଣ ଶ୍ରମିକ ୨୩୧ଟି ମଜୁରି ବାବଦକୁ ମୋଟ୍ ୪୩ ହଜାର ୪୨୮ଟଙ୍କା ନେଇଛନ୍ତି। ମଜୁରି ନେଇଥିବା ଶ୍ରମିକଙ୍କ ମଧ୍ୟରେ ଜିଆରଏସ୍‌ଙ୍କ ସ୍ବାମୀ ସୁଶାନ୍ତ ରାୟ ଅଛନ୍ତି। ତାଙ୍କ ଜବକାର୍ଡ ନମ୍ବର ହେଉଛି ଓଆର୧୮-୦୦୪-୦୦୩-୦୦/୩୪୦୪୫। ସେ ପ୍ରକଳ୍ପର ଭେଣ୍ଡର୍‌ ହୋଇ ମଧ୍ୟ ଜୁଲାଇ ୨, ୧୨, ୨୫ ତାରିଖରେ ମନରେଗାରେ କାମ କରିଥିବା ବାବଦକୁ ମୋଟ ୩୯୪୮ଟଙ୍କା ମଜୁରି ନେଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କେନ୍ଦ୍ର ଆଦୌ ନିର୍ମାଣ ହୋଇନଥିବା ବେଳେ ଜିଆରଏସ୍‌ ଶ୍ରୀମତୀ ରାୟ କିଭଳି ମନରେଗା କାମ ହୋଇଥିବାର ରେକର୍ଡ ଦେଲେ? ନିଜ ବ୍ୟବସାୟୀ ସ୍ବାମୀଙ୍କୁ ବି ଶ୍ରମିକ ସଜାଇବାକୁ ଜିଆରଏସ୍‌ ପତ୍ନୀ ପଛଘୁଞ୍ଚା ଦେଇନଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ ବିନା ଯାଞ୍ଚରେ ଏହାକୁ ଅନୁମୋଦନ କଲେ କେମିତି? ରାଜୀବ ସେବା କେନ୍ଦ୍ର ଟଙ୍କା ହଡ଼ପ ଘଟଣାରେ ଯଦି ସରପଂଚ ଓ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା; ସମାନ ନିୟମ ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ କାହିଁକି ଲାଗୁ ହେବ ନାହିଁ? ସରପଂଚଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର