ବଦଳିଲା ଅଙ୍ଗନବାଡ଼ି ଖାଦ୍ୟ ତାଲିକା : ଜୁଲାଇ ୧୫ରୁ ଶିଶୁଙ୍କୁ ସପ୍ତାହକୁ ୫ଟି ଅଣ୍ଡା

ଗର୍ଭବତୀ ଓ ନର୍ସିଂ ମା’ଙ୍କୁ ମାସକୁ ମିଳିବ ୧୨, କିଶୋରୀମାନେ ମଧ୍ୟ ପାଇବେ ମାସକୁ ୧୬ ଅଣ୍ଡା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ତାଲିକାରେ ପରିବର୍ତନ କରାଯାଇଛି। ଆସନ୍ତାମାସ ୧୫ତାରିଖରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ଶିଶୁଙ୍କୁ ସପ୍ତାହକୁ ୫ଟି ଅଣ୍ଡା ଦିଆଯିବ। ରାଜ୍ୟରେ ଶିଶୁମାନଙ୍କ ପୁଷ୍ଟିହୀନତାକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ଗର୍ଭବତୀ ଓ ନର୍ସିଂ ମା’ମାନଙ୍କୁ ମାସିକ ୧୨ଟି ଅଣ୍ଡା ଦେବାକୁ ଯୋଜନା ହୋଇଥିବା ବେଳେ କିଶୋରୀମାନେ ମାସକୁ ୧୬ଟି ଅଣ୍ଡା ପାଇବେ। ଏଥିରେ ରାଜ୍ୟର ୪୬.୨୯ଲକ୍ଷ ଶିଶୁ ଓ ଗର୍ଭବତୀ ମହିଳା ଓ ୫୫ହଜାର ୫୬୮ କିଶୋରୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ଶିଶୁମାନଙ୍କ ପୁଷ୍ଟିସାଧନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଓ ଗୁରୁବାର ଦିନ ଭାତ, ଡାଲମା ସାଙ୍ଗକୁ ଭଜା ଓ ଲେମ୍ବୁ ଦିଆଯିବ। ମଙ୍ଗଳବାର ଭାତ ସହିତ ତରକାରୀ, ସିଝା ଅଣ୍ଡା ଓ ଲେମ୍ବୁ ଦିଆଯିବା ସହିତ ବୁଧବାର, ଶୁକ୍ରବାର ଓ ଶନିବାର ଦିନ ଭାତ ଓ ଅଣ୍ଡା ତରକାରୀ ଦିଆଯିବ। ୩ବର୍ଷରୁ ୬ବର୍ଷର ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହାସହ ସକାଳେ ଦିଆଯିବା ଖାଦ୍ୟରେ ସୋମବାର ଓ ଗୁରୁବାର ରାଗି ଓ ବେସନ ଲଡ଼ୁ ଦିଆଯିବାକୁ ଥିବା ବେଳେ ମଙ୍ଗଳବାର ଓ ଗୁରୁବାର ବାଦାମ, ଚୁଡ଼ା ଲଡ଼ୁ ଓ ବୁଧବାର ଓ ଶନିବାର ଗଜା ମୁଗ ଓ ଆବଶ୍ୟକ ଫଳ ଦିଆଯିବ। ରାଜ୍ୟରେ ଥିବା ୭୧ହଜାର ୨ଶହ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ନୂତନ ମେନ୍ୟୁ ପ୍ରଦାନ କରାଯିବ।

ଅପରପକ୍ଷରେ ଗର୍ଭବତୀ ଓ ନର୍ସିଂ ମା’ମାନଙ୍କୁ ମାସକୁ ୧୨ଟି ଅଣ୍ଡା ସମେତ ଚିକ୍କି କିମ୍ବା ରାଶି/ବାଦାମ/ଗୁଡ଼ରୁ ପ୍ରସ୍ତୁତ ହୋଇଥିବା ୨୫ଟି ଲଡ଼ୁ ଓ ୪.୯ କେ.ଜିର ଛତୁଆ ଦିଆଯିବ। ୧୧-୧୪ବର୍ଷ ବୟସର କିଶୋରୀମାନଙ୍କୁ ମାସକୁ ୧୬ଟି ଅଣ୍ଡା ସହିତ ୪ କେ.ଜି ଛତୁଆ ଓ ୨୫ଟି ଲଡ଼ୁ ଦିଆଯିବ। ମାତ୍ରାଧିକ ଅପପୁଷ୍ଟିର ଶିକାର ହୋଇଥିବା ୬ମାସରୁ ୩ବର୍ଷର ଶିଶୁଙ୍କୁ ୧୨ଟି ଅଣ୍ଡା ସହିତ ୮୩ଟି ଲଡ଼ୁ ଓ ୪.୯ କେ.ଜିର ଛତୁଆ ପ୍ରଦାନ କରାଯିବ। ତେଣୁ ଛତୁଆ ଓ ରାସନ ଦାୟିତ୍ୱରେ ଥିବା ଅଧିକାରୀମାନେ ମାସକୁ ସମସ୍ତ ସମାଗ୍ରୀ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ଏହାସହ ପୋଷଣ କାର୍ଯ୍ୟକ୍ରମ ବା ଏମ୍‌ଏନ୍‌ପି ଦରକୁ ୮ଟଙ୍କାରୁ ସାଢ଼େ ୯ଟଙ୍କା, ୧୨ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଅନୁ ଗର୍ଗ ଓ ନିର୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର