କମାଇଥିଲେ, ଏବେ ଦେଲେ

ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ବିତର୍କ, ଅଙ୍ଗନବାଡ଼ି କର୍ମୀ ସଂଘର ନିନ୍ଦା, ହକ୍‌ ପାଇଁ ୧୮ରେ ଆନ୍ଦୋଳନ

ଭୁବନେଶ୍ୱର : ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ମୋଦୀଙ୍କ ଏହି ଘୋଷଣାରୁ ରାଜନୈତିକ ଫାଇଦା ନେବା ପାଇଁ ବିଜେପି ପକ୍ଷରୁ ଜୋର୍‌ଦାର୍‌ ପ୍ରଚାର କରାଯାଉଥିଲା ବେଳେ ପାରିଶ୍ରମିକକୁ ନେଇ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୌଥ ଉଦ୍ୟମରେ ଦିଆଯାଉଥିବା ଏହି ପାରିଶ୍ରମିକର ଗଣିତ କେନ୍ଦ୍ର ପାଇଁ ବୁମେରାଂ ହେବାକୁ ଯାଉଛି। ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ପ୍ରତାରଣାର ଆଖ୍ୟା ଦିଆଯାଇଛି। ଏମାନଙ୍କ ପ୍ରାପ୍ୟରୁ କେନ୍ଦ୍ର ସରକାର କାଟି ଦେଇଥିବା ଅର୍ଥ ଏବେ କ୍ଷମତାରୁ ବିଦାୟ ନେବା ବେଳ ଆସିବାରୁ ଘୋଷଣା କରିଛନ୍ତି ବୋଲି ସଂଘ ପ୍ରତିକ୍ରିୟା ପ୍ରକାଶ କରିଛି।

ପୂର୍ବ ସରକାରମାନେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ କରିଥିଲା ବେଳେ ମୋଦୀ ସରକାର କ୍ଷମତାକୁ ଆସିଲା ପରେ ଏହି ଅନୁପାତକୁ ୬୦:୪୦ କରାଇଥିଲେ। ପୂର୍ବରୁ ଅଙ୍ଗନବାଡ଼ି କର୍ମୀମାନେ ଯେତିକି ପାରିଶ୍ରମିକ ପାଉଥିଲେ, ସେଥିରୁ କେନ୍ଦ୍ର ସରକାରଙ୍କ ଭାଗ ୯୦ ପ୍ରତିଶତ ଥିଲା ବେଳେ ରାଜ୍ୟର ଭାଗ ଥିଲା ୧୦ ପ୍ରତିଶତ। କିନ୍ତୁ ୨୦୧୪ରେ ଏନ୍‌ଡିଏ ସରକାର ଆସିଲା ପରେ କେନ୍ଦ୍ରର ଭାଗ ୯୦ରୁ କମି ୬୦ ପ୍ରତିଶତ ହୋଇଗଲା ଏବଂ ରାଜ୍ୟର ଭାଗ ୧୦ରୁ ବଢ଼ି ୪୦ ପ୍ରତିଶତ ହୋଇଗଲା।

ଏହି ନୂଆ ନିୟମ ଲାଗୁ ହେଲା ପରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମିଳୁଥିବା ମୋଟ୍‌ ଭତ୍ତା ୩୦୦୦ ଟଙ୍କାରୁ କେନ୍ଦ୍ର ଦେଉଥିବା ୨୭୦୦ ଟଙ୍କା ହ୍ରାସ ପାଇ ୧୮୦୦ ଟଙ୍କା ହେଲା। ସେହିପରି ଅଙ୍ଗନବାଡ଼ି ମିନି କର୍ମୀଙ୍କ ଭତ୍ତା ୨୨୦୦ ଟଙ୍କାରୁ କେନ୍ଦ୍ର ଦେଉଥିବା ୧୯୮୦ ଟଙ୍କା ହ୍ରାସ ପାଇ ୧୩୨୦ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ଭତ୍ତା ୧୫୦୦ ଟଙ୍କାରୁ କେନ୍ଦ୍ର ଦେଉଥିବା ୧୩୫୦ ଟଙ୍କା ହ୍ରାସ ପାଇଁ ୯୦୦ ଟଙ୍କା ହେଲା। ତେଣୁ ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନଙ୍କ ମାସିକ ପାରିଶ୍ରମିକ ବାବଦରେ କେନ୍ଦ୍ର ସରକାର ତାଙ୍କ ଭାଗରୁ ଯଥାକ୍ରମେ ୯୦୦, ୬୬୦ ଓ ୪୫୦ ଟଙ୍କା କମାଇଦେଇଥିଲେ।

ଗତକାଲିର ଘୋଷଣା ପରେ ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ଅକ୍ଟୋବର ମାସରୁ ଯଥାକ୍ରମେ ୪୫୦୦, ୩୫୦୦ ଓ ୨୨୫୦ ଟଙ୍କା ପାଇବେ। ପୂର୍ବ ପାରିଶ୍ରମିକ ଠାରୁ ସେମାନେ ୧୫୦୦, ୧୩୦୦ ଓ ୭୫୦ ଟଙ୍କା ଅଧିକ ପାଇବେ। ଏଥିରୁ କେନ୍ଦ୍ରୀୟ ଅନୁପାତ ୬୦:୪୦ ହାରରେ କେନ୍ଦ୍ର ସରକାର ୯୦୦, ୭୮୦ ଓ ୪୫୦ ଟଙ୍କା ବହନ କରିବେ। ଏହା ମୋଦୀ ସରକାର ଆସିବା ପୂର୍ବର ପରିମାଣ ସହ ସମାନ। ତେଣୁ ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବଢ଼ିଥିଲେ ବି ଏଥିରେ କେନ୍ଦ୍ର ସରକାରଙ୍କ ଅବଦାନ ନାହିଁ ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାର ପୂର୍ବରୁ ନିଜ ଭାଗରୁ ସେମାନଙ୍କ ପାରିଶ୍ରମିକ କମାଇ ସାରିଥିଲେ।

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତ୍ତା ଦୁଇ ଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଏହି ଘୋଷଣାରେ ସ୍ପଷ୍ଟତା ନାହିଁ ବୋଲି ଆଶାକର୍ମୀ ସଂଘ ପକ୍ଷରୁ କୁହାଯାଇଛି। ସେହିପରି ପାରିଶ୍ରମିକ ବୃଦ୍ଧି ଘୋଷଣା ଅଙ୍ଗନବାଡ଼ି କର୍ମୀଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ବୋଲି ସଂଘ ଅଭିଯୋଗ କରିଛି।

ପୂର୍ବ ଘୋଷଣା ଅନୁଯାୟୀ ଏଆଇଟିୟୁସି ପକ୍ଷରୁ ‘ମୋଦୀ ହଟାଅ-ଅଙ୍ଗନବାଡ଼ି, ଆଶାକର୍ମୀ ବଞ୍ଚାଅ-ଶ୍ରମିକ ଶ୍ରେଣୀ ବଞ୍ଚାଅ’ ଅଭିଯାନରେ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରେ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ ବୋଲି ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଓ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ନମିତା ସାହୁ ଓ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର