ଆନ୍ଦୋଳନରୁ ଓହରିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ଦୀର୍ଘ ୪୦ଦିନର ଆନ୍ଦୋଳନ ପରେ ଧାରଣାରୁ ଓହରିଛନ୍ତି ଅଙ୍ଗନବାଡ଼ି କର୍ମ। ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ଦେଇଛି। ଆସନ୍ତା ୨୩ତାରିଖରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗ ଦେବେ। ତେବେ ଆସନ୍ତା ମାସ ୧୭ତାରିଖରେ ଦିଲ୍ଲୀରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କରସ ଆସୋସିଏସନ୍‌ର ସଂପାଦିକା ସୁମିତା ମହାପାତ୍ରଙ୍କ କହିବାନୁଯାୟୀ, ଗତକାଲି ୨ଘଣ୍ଟା ଓ ଆଜି ୧ଘଣ୍ଟା ଧରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସହ ସଂଘର ଆଲୋଚନା ହୋଇଥିଲା। ପୂର୍ବରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତାକୁ ୨ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ମାତ୍ର ସଂଘର ଅନ୍ୟ ୧୧ଦଫା ଦାବି ଉପରେ କୌଣସି ଆଲୋଚନା ହୋଇ ନ ଥିଲା। ଆଜି ବିଭାଗୀୟ ମନ୍ତ୍ରୀ ସଂଘର ରହିଥିବା ୧୧ଦଫା ଦାବିକୁ ମାନି ନେଇଛନ୍ତି। ଏହାସହ ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ହୃଦ୍‌ରୋଗ, କର୍କଟ ଓ କିଡ୍‌ନି ଜନିତ ରୋଗର ଚିକିତ୍ସା ଖର୍ଚ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ଆସନ୍ତାମାସ ୧ତାରିଖରୁ ୭ତାରିଖ ମଧ୍ୟରେ ବିଭିନ୍ନ ବ୍ଲକ୍‌ରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ବିଡିଓଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି କେନ୍ଦ୍ର ସରକାର ଦାବି ପୂରଣ ନ କରନ୍ତି ତେବେ ନଭେମ୍ବର ୧୭ତାରିଖରେ ଦିଲ୍ଲୀରେ ଅଙ୍ଗନବାଡ଼ି କର୍ମୀଙ୍କ ଏକ ମହାସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଦେଶବ୍ୟାପୀ ୧୦ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଯୋଗଦେବେ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୭ତାରିଖରେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତାକୁ ୨ହଜାର ଟଙ୍କା ବୃଦ୍ଧି କରିଥିଲେ। ଏହାପରେ ଦୁଇ ଅଙ୍ଗନବାଡ଼ି ସଂଘ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ, ଓଡ଼ିଶା ଅଙ୍ଗନବାଡ଼ି ଓ୍ଵାର୍କର୍ସ ଏଣ୍ଡ ହେଲ୍‌ପରସ୍‌ ଆସୋସିଏସନ୍‌ ଏବଂ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘକୁ ନେଇ ଗଠିତ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚା ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ ନିଜର ଆନ୍ଦୋଳନ ଜାରି ରଖିଥିଲା।

ସମ୍ବନ୍ଧିତ ଖବର