ଜୁନ୍‌ ୧୫ରୁ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା : ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯିବ ଟାବଲେଟ୍‌ ଓ ଫୋନ୍‌

ଭୁବନେଶ୍ୱର : ଆସନ୍ତା ଜୁନ୍‌ ୧୫ତାରିଖରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସହିତ ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍ଥ୍ରୋପିକ୍‌ ଇନିସିଏଟିଭ୍‌ ବା ଏପିଏଫ୍‌ଆଇର ମିଳିତ ଉଦ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ମହିଳା ଓ ଶିଶୁ ବିକାଶ ଅଧୀନରେ ଥିବା ମିସନ ଶକ୍ତି ଗ୍ରୁପ୍‌ ଜରିଆରେ ତୃଣମୂଳସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଷଣକୁ ନେଇ ମହିଳାଙ୍କୁ ସଚେତନ କରାଇବା ଓ ସେମାନଙ୍କ ଜୀବନଚର୍ଯ୍ୟାରେ ପରିବର୍ତନ ଆଣିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ୫ଟି ମଡ୍ୟୁଲଉପରେ ଏହା କାର୍ଯ୍ୟ କରିବ। ଗାଁ ଗହଳିର ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସିଧାସଳଖ ଭାବେ ଅଂଶଗ୍ରହଣ କରିବେ। ରାଜ୍ୟର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।

ଏହାସହ ଓଡ଼ିଶା ଜୀବିକା ମିସନ୍‌ ଅଧୀନରେ ପୋଷଣ ଉଦ୍ୟାନ ବା ନ୍ୟୁଟ୍ରିସିନାଲ ଗାର୍ଡେନ୍‌ ଓ କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୧୪ଟି ଜିଲ୍ଲାରେ ଏବେ ଜୀବିକା ମିସନ୍‌ କାର୍ଯ୍ୟ କରୁଥିବା ବେଳେ ଏହିସବୁ ଜିଲ୍ଲାଗୁଡ଼ିକରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ। ଅପପୁଷ୍ଟିକୁ ରୋକିବା ଦିଗରେ ପୋଷଣ ଉଦ୍ୟାନ ସହାୟକ ହୋଇପାରିବ। ମହିଳାମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯିବ।

ସେହିପରି କେନ୍ଦ୍ର ସରକାରଙ୍କ ଜାତୀୟ ପୋଷଣ ମିସନ୍‌ ଜରିଆରେ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କୁ ଟାବଲେଟ୍‌ ଓ ଫୋନ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ କମନ ଆପ୍ଲିକେସନ୍‌ ସଫ୍‌ଟେଓ୍ଵୟାର ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ୨୫ଟି ଜିଲ୍ଲାକୁ ଏହାକୁ ବୃଦ୍ଧି କରାଯାଇଛି। ପ୍ରାୟ ୫୦/୬୦ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ଟାବଲେଟ୍‌ ଓ ଫୋନ୍‌ ଜରିଆରେ ଅଙ୍ଗନବାଡ଼ି କର୍ମୀମାନେ ସଂଗ୍ରହ କରୁଥିବା ରେକର୍ଡର ଡିଜିଟାଇଜେସନ୍‌ ହୋଇପାରିବ। ପୂର୍ବରୁ ବ୍ଲକ୍‌ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟର ରେକର୍ଡ ରହୁଥିଲା। ମାତ୍ର ଏବେ ତୃଣମୂଳସ୍ତରରୁ ସିଧାସଳଖ ରାଜ୍ୟରେ ଥିବା ମୁଖ୍ୟ ସର୍ଭରରେ ସଂଗୃହୀତ ରେକର୍ଡ ପହଞ୍ଚିବ। ମାତ୍ର କେବେସୁଦ୍ଧା ଏସବୁ ଟାବଲେଟ୍‌ ଓ ଫୋନ୍‌ ବଣ୍ଟନ କରାଯିବ ତାହାର ନିର୍ଦ୍ଦିଷ୍ଟ ତାରିଖ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର