ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଛତୁଆ ଯୋଗାଣ: ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀକୁ କୈଫିୟତ ତଲବ

ଯାଜପୁର/ସଦର : ବଡ଼ଚଣା ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଏବଂ ନିର୍ଧାରିତ ଓଜନଠାରୁ କମ ଓଜନର ଛତୁଆ ଯୋଗାଣ ଘଟଣାକୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଗୁରୁତର ସହ ନେଇଛି। ଏଥିପାଇଁ ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ କୈଫିୟତ ତଲବ କରାଯାଇଛି। କାହିଁକି ସ୍ବୟଂ ସହାୟକ ଗୋଷ୍ଠୀ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ ଉତ୍ତର ଚିଠି ପାଇବାର ତିନି ଦିନ ମଧ୍ୟରେ ଦେବାକୁ କଡ଼ା ନିର୍ଦେଶ ଦିଆଯାଇଛି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଛତୁଆ ବଣ୍ଟନ ସମୟରେ କୁନ୍ଦଳ ଏବଂ ଦାଣ୍ଡ ହରିପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଉପସ୍ଥିତ ରହି ଛତୁଆର ମାନ ପରଖ କରିଥିଲେ। ଏହି ସମୟରେ ଯେଉଁ ସବୁ ତ୍ରୁଟି ପରିଲକ୍ଷିତ ହୋଇଥିଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଛତୁଆ ପ୍ରସ୍ତୁତ ପାଇଁ ଯେଉଁ ସବୁ ପ୍ରୋଟୋକଲ ଗ୍ରହଣ କରାଯାଇଛି, ତାହାକୁ ସଂପୃକ୍ତ ସଂସ୍ଥା ମୋଡ଼ିମକଚି ନିଜ ଢଙ୍ଗରେ ନିମ୍ନମାନର ଛତୁଆ ପ୍ରସ୍ତୁତ କରିଛନ୍ତି। ଛତୁଆ ପ୍ୟାକେଟରେ ଇଂରାଜୀରେ ଲେଖା ଯାଇଥିବା ବେଳେ କମ୍ ଓଜନ ରହିଛି। କେବଳ ସୁଜି ଚିନି ଛଡ଼ା ଅନ୍ୟ ଉପାଦାନ ବେସନ ଓ ତେଲ ନାହିଁ। ଯୋଗାଇ ଦିଆଯାଉଥିବା ବାଦାମ ଲଡ଼ୁ ବି ନିମ୍ନମାନର ବୋଲି ଜଣାପଡ଼ିଥିଲା। ସେହିଭଳି, ପ୍ୟାକେଟରେ ନେଟ୍‌ ଓଜନ ୨ କେଜି ୨୦୫ଗ୍ରାମ୍ ପରିବର୍ତ୍ତେ ୨ କେଜି ୧୨୫ ଗ୍ରାମ ଲେଖାଯାଇଥିଲା। ଶିଶୁମାନଙ୍କୁ ଯେଉଁ ପ୍ୟାକେଟ ଯୋଗାଇ ଦିଆଯାଉଛି ସେଥିରେ ସୁଜି, ଚିନି, ବେସନ ଓ ତେଲର ମିଶ୍ରଣ ରହିବା କଥା। ମାତ୍ର ଆବଶ୍ୟକ ପରିମାଣର ଉପାଦାନ ରହୁ ନଥିବା ତନଖି ବେଳେ ପରିଲକ୍ଷିତ ହୋଇଥିଲା।

୨୩.୯.୨୦୧୯ରେ ରାଜ୍ୟ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ମିଶ୍ରଣ କାର୍ଯ୍ୟ ତଦନ୍ତ କରିବାକୁ ଆସିଥିବା ଅଧିକାରିଣୀ ବିଜୟଲକ୍ଷ୍ମୀ ଜେନାଙ୍କ ରିପୋର୍ଟ ଅନୁସାରେ ପ୍ଲାଣ୍ଟର ଖାତାପତ୍ର ଠିକ୍‌ ନଥିଲା। ସେମାନେ ଖାତାପତ୍ର ସନ୍ତୋଷଜନକ ଭାବେ ଦେଖାଇ ପାରି ନଥିଲେ। ଏହି ସବୁ କାରଣରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ଚିଠି ନଂ ୨୦୭୩/୫.୧୧.୨୧୦୯ରେ ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ତିନି ଦିନ ମଧ୍ୟରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ‌ସେନେଇ କୈଫିୟତ ଦେବାକୁ ନିର୍ଦେଶ ରହିଛି।

ସମ୍ବନ୍ଧିତ ଖବର