ହାତୀ ପିଉଛି ଲାକ୍ଟୋଜେନ୍‌, ପିଲାଙ୍କ ସାଥୀରେ ଖେଳିବା ଫଟୋ ଭାଇରାଲ

ଅନୁଗୁଳ : ହାତୀ ପିଉଛି ଲାକ୍ଟୋଜେନ୍‌। କଥାଟା ଟିକେ ଭିନ୍ନ ଲାଗୁଥିଲେ ବି ସତ। ଦଶ ଦିନ ତଳେ ମା’ଠାରୁ ଅଲଗା ହୋଇଥିବା ୩ମାସର ହାତୀ ଛୁଆକୁ ଅନୁଗୁଳ ବନ ବିଭାଗ ଏମିତି ଯତ୍ନ ସହକାରେ ଲାଳନପାଳନ କରୁଛି। ନବଜାତ ମଣିଷ ଛୁଆ ଯେମିତି ଗୁଣ୍ଡ କ୍ଷୀର ଖାଏ, ସେମିତି ହାତୀଛୁଆକୁ ବୋତଲରେ କ୍ଷୀର ପିଆଯାଉଛି। ସପ୍ତାହେ ହେଲା ଅନୁଗୁଳ ବନରାଜିକ ମହାବିଦ୍ୟାଳୟ (ରେଞ୍ଜର୍ସ କଲେଜ) ପରିସରରେ ରହିଥିବା ଏହି ହାତୀ ଛୁଆକୁ କେବଳ ଖିଆପିଆରେ ଯେ ଯତ୍ନ ନିଆଯାଉଛି ତାହା ନୁହେଁ, ମା’କୁ ହରାଇଥିବା ଦୁଃଖ ଭୁଲିଯିବା ଲାଗି ମଧ୍ୟ ଢେର୍‌ ବ୍ୟବସ୍ଥା କରାଯାଇଛି। କୁନିକୁନି ପିଲାମାନଙ୍କ ସହ ଖେଳକୌତୁକ ପାଇଁ ତାକୁ ଛାଡ଼ିଦିଆଯାଉଛି। ସ୍ଥାନୀୟ ପିଲାମାନଙ୍କ ପାଇଁ ବି ଏହି ହାତୀଛୁଆଟି ଏବେ ଏକ ମନୋରଂଜନର ସାମଗ୍ରୀ ହୋଇପଡ଼ିଛି।

ଉଲ୍ଲେଖ ଯୋଗ୍ୟ, ଗତ ୪ତାରିଖ ଦିନ ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ୍‌ ଡଙ୍ଗାପାଳ ଇଲାକାରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ୨ତାରିଖ ରାତିରେ ନୂଆଗାଁ କର୍ଣ୍ଣପାଳ ଇଲାକାକୁ ହାତୀପଲ ଆସିଥିଲେ। ଭୋର୍‌ ସମୟରେ ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ୩ମାସର ଛୁଆଟି ଗୋଠ ଖଣ୍ଡିଆ ହୋଇ ରହି ଯାଇଥିଲା। ମା’ ହାତୀଠାରୁ ଛୁଆ ଦୂରେଇ ଯାଇଥିଲା। ନୂଆଗାଁ, କର୍ଣ୍ଣପାଳ, ଡଙ୍ଗାପାଳ ଗାଁ ବିଲମାଳରେ ଏକୁଟିଆ ଘୂରି ବୁଲୁଥିବା ବେଳେ ବନ ବିଭାଗ ଛୁଆକୁ କାବୁ କରିଥିଲା। କିନ୍ତୁ ଜଙ୍ଗଲ ବାଟ ହୁଡ଼ିଥିବା ଛୁଆ ହାତୀ ମା’ କୋଳକୁ ଫେରି ପାରିନାହିଁ।

ସମ୍ବନ୍ଧିତ ଖବର