ମରିଗଲେ ମନୀଷ, ବାଙ୍କୀ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଗୋଟିଏ ଦିନରେ ମହାବଳ ବାଘ ‘ମନୀଷ’ ଓ ଦେଶୀ ଭାଲୁ ‘ବାଙ୍କୀ’ର ମୃତ୍ୟୁ ହୋଇଛି। ରକ୍ତ ସଂକ୍ରମଣ ଯୋଗୁଁ ଦୀର୍ଘ ୬ମାସ ଧରି ଜୀବନ ସହ ଯୁଦ୍ଧ କରୁଥିବା ସାଧାରଣ ରଙ୍ଗ ମହାବଳ ବାଘ ମନୀଷ(୧୦) ଅପରାହ୍ଣ ସାଢ଼େ ୪ଟାରେ ଆଖି ବୁଜି ଦେଇଥିଲା। ସେ ପ୍ରାଣୀ ଉଦ୍ୟାନର କ୍ୱାରେନଟାଇନ୍‌ ଆଇସିୟୁରେ୍‌ ଚିକିତ୍ସିତ ହେଉଥିଲା। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ତା’ ଶବକୁ ପୋଡ଼ି ଦିଆଯିବ।

ମହାବଳ ରୋହିତ ଓ ବାଘୁଣୀ ଶୈଳଜାର ମିଳନରୁ ଗତ ୨୦୦୮ ଫେବ୍ରୁଆରି ୨୮ତାରିଖରେ ଜନ୍ମିତ ମନୀଷ ୬ ମାସ ତଳେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ସେ ବାରମ୍ବାର ବାନ୍ତି କରୁଥିଲା। ତା’ ପେଟ ଫୁଲିଯିବା ସହ ଦିନକୁ ଦିନ ରୁଗ୍‌ଣ ହେବାରେ ଲାଗିଥିଲା। ତେଣୁ ତାକୁ ଚିକିତ୍ସା ଲାଗି ୩୦ ନମ୍ବର ଖୁଆଡ଼ରୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପଛପାଖ ୧୮ନମ୍ବର ଖୁଆଡ଼କୁ ସ୍ଥାନାନ୍ତର କରାଯାଇଥିଲା। ତାକୁ ନିୟମିତ ଭାବେ ଖାଦ୍ୟରେ ରୋଗ ପ୍ରତିଷେଧକ ଓ ଆଟ୍ରେସ ଦିଆଯାଉଥିଲା। କିନ୍ତୁ ତା’ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଓୟୁଏଟିରେ ରକ୍ତନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ ରକ୍ତ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା। ଏହାପରେ ଟେକ୍ନିକାଲ କମିଟିର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେନଟାଇନ୍‌ ଆଇସିୟୁରେ ତାକୁ ଚିକିତ୍ସା କରାଯାଉଥିଲା।

ଗତ ଜୁଲାଇ ୧୮ ତାରିଖରେ ତାର ସ୍ୱାସ୍ଥ୍ୟ ନିରୀକ୍ଷଣ କରିବାକୁ ନନ୍ଦନକାନନ ନିର୍ଦ୍ଦେଶକ ଉଷାମାକ୍ରେ ଝୁଲେ, ଓଏୟୁଟିର ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ସାହୁଙ୍କ ସମେତ ଡାକ୍ତରୀ ଦଳ ଆସିଥିଲେ। ପ୍ରଫେସର ସାହୁ ବାଘଟିର ସ୍ୱାସ୍ଥ୍ୟ ନିରୀକ୍ଷଣ କରି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ତଦନୁଯାୟୀ ତା’ର ଚିକିତ୍ସା ଚାଲିଥିଲେ ହେଁ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ଉଲ୍ଲେଖଯୋଗ୍ୟ, ମନୀଷର ମୃତ୍ୟୁ ପରେ ନନ୍ଦନକାନନରେ ୧୧ ପୁରୁଷ ଓ ୧୩ ମାଈଙ୍କୁ ମିଶାଇ ମୋଟ ୨୪ଟି ବାଘ ଅଛନ୍ତି। ଏମାନଙ୍କ ମଧ୍ୟରେ ୮ଟି ଧଳାବାଘ ଅଛନ୍ତି।

ସେହିପରି ବାର୍ଧକ୍ୟ ଯୋଗୁଁ ଆଜି ମାଈ ଭାଲୁ ‘ବାଙ୍କୀ’(୩୦)ର ଆଜି ମୃତ୍ୟୁ ହୋଇଛି। ୨୦୦୬ ଜୁଲାଇ ୧୮ରେ ତାକୁ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏକ ଢାବାରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ବାଙ୍କୀରୁ ଆସିଥିବାରୁ ତାର ଏପରି ନାମକରଣ କରାଯାଇଥିଲା। ସେ ୩ ମାସ ହେବ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସର କ୍ୱାରେନ୍‌ଟାଇନ୍‌ ମଧ୍ୟରେ ଚିକିତ୍ସିତ ହେଉଥିଲା। ତା’ ଶବକୁ ବ୍ୟବଚ୍ଛେଦ ପରେ ପୋଡ଼ି ଦିଆଯାଇଛି। ବାଙ୍କୀର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୮ଟି ପୁରୁଷ ଓ ୬ଟି ମାଈଙ୍କୁ ମିଶାଇ ମୋଟ ୧୪ଟି ଦେଶୀ ଭାଲୁ ଅଛନ୍ତି।

ସମ୍ବନ୍ଧିତ ଖବର