ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅନିରୁଦ୍ଧ ଜେନା ମୃତ

କଟକ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ବଳରାମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଅନିରୁଦ୍ଧ ଜେନା ଗୁଳି ମାଡ଼ରେ ପ୍ରାଣ ହରାଇଛି। ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ଅନିରୁଦ୍ଧଙ୍କୁ ବଡ଼ଚଣା-ଚଣ୍ଡୀଖୋଲ ମୁଖ୍ୟ ରାସ୍ତାରୁ ଉଦ୍ଧାର କରି କଟକ ବଡ ମେଡିକାଲ ଆଣିଛି। କିନ୍ତୁ କଟକ ବଡ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନିରୁଦ୍ଧଙ୍କ ପେଟରେ ଗୋଟିଏ ଗୁଳି ବାଜି ଥିବା ଜଣା ପଡିଛି। କିନ୍ତୁ ଏ ସଂକ୍ରାନ୍ତରେ କୌଣସି ଥାନାରେ ଅଭିଯୋଗ ହୋଇନାହିଁ। ମଙ୍ଗଳାବାଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ରଖିବା ସହ ଅନିରୁଦ୍ଧଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନିରୁଦ୍ଧର ଘର ପାଟକୁରା ଅଞ୍ଚଳରେ ହୋଇଥିଲେ ବି ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅନ୍ତର୍ଗତ ସନ୍ଥରାରେ ଥିବା ଶ୍ୱଶୁର ଘରେ ପରିବାର ସହ ରହୁଥିଲେ। ଅନିରୁଦ୍ଧଙ୍କ ପତ୍ନୀ କହିବା ଅନୁଯାୟୀ ଗତକାଲି ସଂଧ୍ୟାରେ ଅନିରୁଦ୍ଧଙ୍କୁ କେହି ଜଣେ ଫୋନ୍‌ କରିବା ପରେ ସେ ଘରୁ ବାହାରି ଯାଇଥିଲେ। କିନ୍ତୁ ରାତି ୮ଟା ବେଳକୁ ତାଙ୍କୁ ଫୋନ୍‌ କଲା ବେଳେ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଅନ୍ୟପଟେ ଅନିରୁଦ୍ଧଙ୍କୁ କଟକ ବଡ ମେଡିକାଲ୍‌ ଆଣିଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଜେରା କରିବା ପରେ ଜଣା ପଡିଥିଲା ଯେ ଜଣେ ଆହତ ବ୍ୟକ୍ତିଙ୍କୁ ମେଡିକାଲ୍‌ ନେବା ପାଇଁ ସେମାନଙ୍କୁ କଲ୍‌ ମିଳିଥିଲା। ସେମାନେ ବଡ଼ଚଣା-ଚଣ୍ଡୀଖୋଲ ରାସ୍ତାରେ ଯାଇଥିବା ବେଳେ କାହାକୁ କିନ୍ତୁ ପାଇ ନଥିଲେ। ସେହି ସମୟରେ ୩ ଜଣ ବ୍ୟକ୍ତି ଗୋଟିଏ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ବାଇକ୍‌ ମଝିରେ ବସିଥିବା ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇଛନ୍ତି ବୋଲି କହି ସେମାନେ ତାଙ୍କୁ ଆମ୍ବୁଲାନ୍ସରେ ବସାଇଥିଲେ। ଆମ୍ବୁଲାନ୍ସ ପ୍ରଥମେ ବଡ଼ଚଣା ହସ୍ପିଟାଲକୁ ଯାଇଥିବା ବେଳେ ଡାକ୍ତର ଗୁଳି ମାଡ଼ ହୋଇଥିବା କଥା କହିଥିଲେ। ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନା ନେଇ ଯିବାକୁ କହିଥିଲେ। ଗତକାଲି ରାତିରେ ଅନିରୁଦ୍ଧ କଟକ ବଡ ମେଡିକାଲ୍‌ କାଜୁଆଲିଟିରେ ପଡି ରହିଥିବା ବେଳେ ଆଜି ସକାଳେ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁଠି ଏଭଳି ଗୁଳି ମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ବିଭିନ୍ନ ଥାନାକୁ ଖବର ଦେଇ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର