ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ ହେବ ‘ଦମନ’

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ‘ଭେଟିଲେ ମ୍ୟାଲେରିଆ ନୋ ମୋର’ ସଂସ୍ଥାର ନିର୍ଦେଶିକା

ଭୁବନେଶ୍ବର : ‘ମ୍ୟାଲେରିଆ ନୋ ମୋର’ ସଂସ୍ଥାର ଏସିଆ ପ୍ୟାସିଫିକ୍‌ର ବରିଷ୍ଠ ନିର୍ଦେଶିକା ଅଞ୍ଜଳି କାଉର ବୁଧବାର ସଚିବାଳୟରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଛନ୍ତି। ଆସନ୍ତା ୨୦୩୦ ମସିହା ସୁଦ୍ଧା ରାଜ୍ୟରୁ ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ସଂସ୍ଥା ସହାୟକ ହେବ ବୋଲି ସେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ରାଜ୍ୟରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଭିବିଡିସିପି ଏବଂ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ସହ ମିଶି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବେ।

ଓଡ଼ିଶାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଦମନ’ର ସଫଳତା ବେଶ ପ୍ରଶଂସନୀୟ। ଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ଏକ ମଡେଲ ଭାବେ ଦେଶର ଅନ୍ୟ ରାଜ୍ୟର ମ୍ୟାଲେରିଆ ପ୍ରବଣ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ କରାଯାଇ ପାରିବ। ଅନ୍ତର୍ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରାଯିବ ବୋଲି କାଉର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଶ୍ରୀ ଜେନା କହିଥିଲେ।  ଉଲ୍ଲେଖ ଯେ, ‘ଦମନ’ କ‌ାର୍ଯ୍ୟକ୍ରମ ରାଜ୍ୟରେ କାର୍ଯ୍ୟକାରୀ ହେବା ପରେ ଗତବର୍ଷ ତୁଳନାରେ ଚଳିତବର୍ଷ ମ୍ୟାଲେରିଆ ଆକ୍ରାନ୍ତଙ୍କ ହାର ପ୍ରାୟ ୮୫ ପ୍ରତିଶତ ଓ ମ୍ୟାଲେରିଆ ଜନିତ ମୃତ୍ୟୁ ୯୫ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର