ଓଡ଼ିଶା ଆସିବେ ଆନ୍ନା ହଜାରେ

୨୩ରେ ଜଗତସିଂପୁରରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର : ଆସନ୍ତା ୨୩ତାରିଖ ନବକୃଷ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟସ୍ତରୀୟ ସମାବେଶ ଜଗତସିଂହପୁରରେ ଅନୁଷ୍ଠିତ ହେବ। ସ୍ୱର୍ଗତଃ ଚୌଧୁରୀ ଚାଷୀ, ଭାଷା ଓ ନିଶା ନିବାରଣର ପ୍ରତୀକ ଥିବାରୁ ଏହି ଦିନରେ ସଂଗଠନର ରାଜ୍ୟସ୍ତରୀୟ ସମାବେଶ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମାବେଶରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରରେ ଯୋଗଦେବେ ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ଆଜି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରେଡକ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଥିଲା। ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ଚାଷୀଙ୍କ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦିଆଯାଇଛି। ଚାଷୀଙ୍କୁ ପେନସନ ପ୍ରଦାନ ପାଇଁ ଏବଂ ରାଜ୍ୟ ସରକାର ଓ ଚାଷୀଙ୍କୁ ନିଜ ଫସଲର ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉଛି। ଗତମାସ ୧୧ତାରିଖରେ ଦିଲ୍ଲୀରେ ସଂଗଠନ ପକ୍ଷରୁ ସମାବେଶ ଅନୁଷ୍ଠିତ ହୋଇଥିଲା। ଯାହାକି ଓଡ଼ିଶାର ଚାଷୀ ଆନ୍ଦୋଳନକୁ ରାଷ୍ଟ୍ରୀୟ ଆନ୍ଦୋଳନ ପାଇଁ ମୂଳଦୁଆ ପଡ଼ିଛି।

ଆସନ୍ତା ୨୩ତାରିଖରେ ଜଗତସିଂହପୁରରେ ହେବାକୁ ଥିବା ସମାବେଶରେ ଆନ୍ନାଙ୍କ ସମେତ ରାଷ୍ଟ୍ରୀୟ ସ୍ତରରେ ଚାଷୀମାନଙ୍କ ନେତୃତ୍ୱ ନେଉଥିବା ନେତୃମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁର୍ନୀତି ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ଆନ୍ନା ଚାଷୀଙ୍କ ସମସ୍ୟା ନେଇ ଚାଷୀଙ୍କୁ ଏକାଠି କରିବାକୁ ଆହ୍ଵାନ ଦେଇଛନ୍ତି। ତେଣୁ ଜଗତସିଂହପୁର ସମାବେଶ ସଂଗଠନର ଆନ୍ଦୋଳନକୁ ଅଧିକ ମଜବୁତ କରିବ। ସେହିପରି ଆସନ୍ତାବାର୍ଷ ମାର୍ଚ ମାସରେ ରାଜଧାନୀରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାଓ୍ଵାରି ପ୍ରତ୍ୟେକ ଦିନ ୧୦ ହଜାର ଚାଷୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବେ। ପୂର୍ବରୁ ସଂଗଠନର ସମାବେଶ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଥିଲେ। ପୂର୍ବଭଳି ଯଦି ଏଥର ସମାବେଶକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରନ୍ତି ତେବେ ଭୟଙ୍କର ପରିଣାମ ହେବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ବରଗଡ଼ର ଚାଷୀ ଆତ୍ମହତ୍ୟାର ତଦନ୍ତ କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ଚାଷୀ ଫସଲ ଜଳାଇ ଦେଉଥିବା ବେଳେ ଅନ୍ୟ ଉପାୟ ନ ଥିବାରୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ତେଣୁ ଚାଷୀଙ୍କ ପ୍ରତି ଦରଦ ଥିଲେ ସରକାର ପ୍ରଥମେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ ବୋଲି ଶ୍ରୀ କୁମାର କହିଥିଲେ।

ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଚାଷୀଙ୍କ ପ୍ରତି ସଜାଗ ଥିବା ଗଣମାଧ୍ୟମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଚାଷୀ ଆତ୍ମହତ୍ୟା କଥା ସ୍ୱୀକାର କରିଛନ୍ତି। କୃଷି ମନ୍ତ୍ରୀ ଏବେ ଚାଷୀ ଆତ୍ମହତ୍ୟାର ତଦନ୍ତ ହେବା କଥା କହୁଛନ୍ତି। ମାତ୍ର ପୂର୍ବରୁ ଚାଷୀ ଆତ୍ମହତ୍ୟା କଲେ ଚାଷୀଙ୍କ ଘରକୁ ଜିଲ୍ଲାପାଳ ମଧ୍ୟ ଯାଉ ନ ଥିଲେ। ଏପରିକି ଅଧପନ୍ତରିଆ ରିପୋର୍ଟ ଦେଉଥିଲେ। ତେଣୁ ଚାଷୀ ଆନ୍ଦୋଳନର ପ୍ରହାର ହେଲେ ସବୁ ସତକଥା ପଦାକୁ ଆସିବ। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ଅଧୀନ। ୨୦୧୪ ନିର୍ବାଚନ ସମୟରେ ମୋଦି ସରକାରକୁ ଆସିଲେ ସ୍ୱାମୀନାଥନ କମିସନ ରିପୋର୍ଟ ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ପ୍ରତିଶ୍ରୁତି ପାଳନ କରିବାରେ କେନ୍ଦ୍ର ସରକାର କାହିଁକ ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଚାଷୀମାନଙ୍କ ପ୍ରତି ହେଉଥିବା ଅବହେଳା ପାଇଁ ଆନ୍ନା ଚାଷୀମାନଙ୍କ ଆନ୍ଦୋଳନର ନେତୃତ୍ୱ ନେବାକୁ ରାଜି ହୋଇଛନ୍ତି। ଜାନୁଆରିରେ ହେବାକୁ ଥିବା ଜାତୀୟସ୍ତରୀୟ ସମାବେଶକୁ ଅଧିକ ସଫଳ କରିବା ପାଇଁ ସେ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସୁଛନ୍ତି। ଗତଥର ସଂଗଠନର ସମାବେଶକୁ ଅନୁମତି ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଚେଷ୍ଟା କରିଥିଲେ। ତେଣୁ ଏଥର ଯଦି ପୂର୍ବଭଳି ଭଣ୍ଡୁର କରିବା ପାଇଁ ଚେଷ୍ଟା କରାଯାଏ ଏହାର ମୁକାବିଲା କରିବା ପାଇଁ ସଂଗଠନ ପ୍ରସ୍ତୁତ ଅଛି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ସମାବେଶ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ସଂଗଠନର ଅନ୍ୟତମ ଉପଦେଷ୍ଟା ରବି ଦାସ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ମୀନକେତନ ଷଡ଼ଙ୍ଗୀ, ବାସୁଦେବ ସାହୁ, ସୁରେଶ ମାନସିଂ, ନିମାଁଇ ରାୟ, ରଶ୍ମିରଂଜନ ସ୍ୱାଇଁ, ବାସୁଦେବ ସାହୁ, ପ୍ରଫୁଲ୍ଲ ଜେନା, ଚନ୍ଦନ କୁମର ରାଉତ, ସୁବାସ ପଣ୍ଡା, ସୁରେନ୍ଦ୍ର ମହାରଣା, ବୈଦ୍ୟନାଥ ରଥ, କୁଶଧ୍ୱଜ ନାୟକ, ବିଳାସିନୀ ମହାନ୍ତ, ଇରଫାନ ଅହମ୍ମଦ, ଭାସ୍କର ପ୍ରଧାନ, ସନ୍ତୋଷ ସାହୁ, ମଧୁମିତା ସାମଲ, ମନଓ୍ଵରି ଅଲ୍ଲୀ, ରବୀନ୍ଦ୍ର ସାହୁ, ଶୁଭେନ୍ଦୁ ମଲ୍ଲିକ, ସଚ୍ଚିନ ମହାପାତ୍ର, ଦିଗମ୍ବର ଗଡ଼ନାୟକ, ସଂଗ୍ରାମ କିଶୋର, ଦୁର୍ଗା ଦାସ, ଅଶୋକ ପରିଡ଼ା, ତ୍ରିଲୋଚନ ପଣ୍ଡା ଓ ବିପ୍ରବର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କମିଟି ସଦସ୍ୟ ପ୍ରସନ୍ନ କୁଅଁର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର