୨୨ରେ ଓଡ଼ିଶା ଆସିବେ ଆନ୍ନା ହଜାରେ

ଜଗତସିଂହପୁରରେ ଆୟୋଜିତ ଜୟ କିଷାନ ମହାସମାବେଶରେ ଯୋଗଦେବେ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ଆସନ୍ତା ବୁଧବାର ଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏଥିରେ ସେ ଆସନ୍ତା ୨୩ତାରିଖରେ ଜଗତସିଂହପୁରରେ ଆୟୋଜନ ହେବାକୁ ଥିବା ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ଦାବିକୁ ନେଇ ଆୟୋଜିତ ‘ଜୟ କିଷାନ’ ମହାସମାବେଶରେ ଉଦ୍‌ବୋଧନ ଦେବେ ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୧ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ କୃଷକ ସମାବେଶରେ ଆନ୍ନା ହଜାରେ ଯୋଗଦେଇ ଆଗାମୀ ଦିନରେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ସହିତ କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଆହ୍ଵାନ ଦେଇଥିଲେ। ରାଷ୍ଟ୍ରୀୟ ସ୍ତରରେ ଭିନ୍ନ ଭିନ୍ନ ରାଜ୍ୟରେ ଜାଗୃତି ଆଣିବା ପାଇଁ ଲୋକଙ୍କ ଭିତରକୁ ଯିବା ପାଇଁ ଆନ୍ନା ଘୋଷଣା କରିଥିଲେ। ଏହି ଆହ୍ଵାନର ପ୍ରଥମ କାର୍ଯ୍ୟକ୍ରମ ଜଗତସିଂହପୁରର ଜୟ କିଷାନ ‘ମହାସମାବେଶ’ରୁ ଆରମ୍ଭ ହେବ। ଏଥିପାଇଁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ, ଆନ୍ନା ହଜାରେ ୨୨ତାରିଖ ଅପରାହ୍ନ ୧ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଅଣାଯିବ। ସେଠାରେ ଅପରାହ୍ଣ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ନେତୃତ୍ୱ, ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ସମ୍ପାଦକ ଓ ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହାପରେ ସଂଧ୍ୟା ୬ଟାରେ ୟୁନିଟ-୧ସ୍ଥିତ କସ୍ତୁରବା ନାରୀ ମହଲରେ ସଂଗଠନର କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ୨୩ତାରିଖ ସକାଳ ୯ଟା ୩୦ରୁ ବିରାଟ ଶୋଭାଯାତ୍ରାରେ ଜଗତସିଂହପୁର ଅଭିମୁଖେ ଯାଇ ସେଠାରେ ଚାଷୀମାନଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ଭୁବନେଶ୍ୱର ଫେରି ସଂଧ୍ୟା ୬ଟାରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ୨୪ତାରିଖ ସକାଳୁ ପୁଣେ ଅଭିମୁଖେ ଯିବେ ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର