ଚିଲିକାରେ ପକ୍ଷୀ ଗଣନା : ପନ୍ଦର ବର୍ଷରେ ସର୍ବାଧିକ

ବାଲୁୁଗାଁ : ଚିଲିକାରେ ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଏବର୍ଷ ମୋଟ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ପକ୍ଷୀଙ୍କର ସମାଗମ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ୧୦୫ ପ୍ରଜାତିର ୧୦ଲକ୍ଷ ୨୧ ହଜାର ୫୬୩ଟି ଜଳଚର ପକ୍ଷୀ ଥିବାବେଳେ ୭୬ ପ୍ରଜାତିର ୨୬ ହଜାର ୪୦୫ଟି ଜଳନିର୍ଭରଶୀଳ ପକ୍ଷୀ ରହିଛନ୍ତି। ଗତବର୍ଷ ଚିଲିକାକୁ ମୋଟ ୧୪୭ ପ୍ରଜାତିର ୮ଲକ୍ଷ ୯୩ ହଜାର ୩୯୦ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ୧ଲକ୍ଷ ୫୪ହଜାର ୫୭୮ ବୃଦ୍ଧି ଘଟିଛି। ସେହିପରି ପନ୍ଦର ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା କଥା ଶୁକ୍ରବାର ପ୍ରକାଶିତ ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣାଯାଇଛି। ଅପରପକ୍ଷେ, ପକ୍ଷୀ ଅଭୟାରଣ୍ୟ ନଳବଣରେ ଗତବର୍ଷ ୩, ୨୦, ୮୨୬ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତ ବର୍ଷଏହି ସଂଖ୍ୟା ୭୦ ହଜାରରୁ ଅଧିକ ବୃଦ୍ଧି ପାଇ ୩,୯୩,୫୩ ୪ରେ ପହଞ୍ଚିଛି।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ମିଳିତ ଭାବେ ଚିଲିକା ମଧ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଶୁକ୍ରବାର ସମାପ୍ତ ହୋଇଛି। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟିର ବିଶେଷଜ୍ଞ ଏସ୍ ବାଲ୍ ଚନ୍ଦ୍ରନ୍, ଡିଏଫ୍ଓ ବିକାଶ ରଞ୍ଜନ ଦାସ, ଏସିଏଫ୍ ମହେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମିଶି ମୋଟ ୨୧ଟି ଦଳରେ ୧୦୨ଜଣ ଏହି ପକ୍ଷୀଗଣନାରେ ସାମିଲ୍ ହୋଥିଲେ। ଏହି ଗଣନା ରିପୋର୍ଟ ଅନୁଯାୟୀ, ବାଲୁଗାଁ ରେଞ୍ଜ ଅଧୀନରେ ସର୍ବାଧିକ ସଂଖ୍ୟାରେ ପକ୍ଷୀ ଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଥିବା ଗଣନାରୁ ଜଣାଯାଇଛି। ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଯୋଗୁଁ ଚଳିତବର୍ଷ ଏପରି ପକ୍ଷୀସଂଖ୍ୟାରେ ବୃଦ୍ଧି ଘଟିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର