୬ ମାସ ମଧ୍ୟରେ ଏସ୍‌ସିବିରେ ରୋବୋଟିକ୍ ସର୍ଜରି

ୟୁଏସ୍‌ଆଇର ୫୨ତମ ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ୬ ମାସ ମଧ୍ୟରେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ୟୁରୋଲୋଜି ବିଭାଗରେ ରୋବୋଟିକ୍‌ ସର୍ଜରି ସୁବିଧା ଉପଲବ୍‌ଧ ହେବ। ସର୍ଜରି କ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଧବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ୟୁରୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ(ୟୁଏସ୍‌ଆଇ)ର ୫୨ ତମ ବାର୍ଷିକ ସର୍ବଭାରତୀୟ ସମ୍ମିଳନୀ ୟୁଏସ୍‌ଆଇସିଓଏନ୍‌-୨୦୧୯କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଅତିଥିଭା‌ବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସମ୍ପ୍ରତି ବିଶ୍ବରେ ୟୁରୋଲୋଜିକାଲ୍ ସମସ୍ୟା ବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ବି ଓଡ଼ିଶାରେ ଏହି ରୋଗର ଚିକିତ୍ସା ସେବା ବିଶ୍ବସ୍ତରୀୟ ହୋଇପାରିଛି। ସରକାରୀ ମେଡିକାଲମାନଙ୍କରେ କିଡ୍‌ନୀ ପ୍ରତ୍ୟରୋପଣ ଖୁବ୍ ସ୍ବଳ୍ପ ମୂଲ୍ୟରେ କରାଯାଇପାରୁଛି ଓ ଗତ ୬ ବର୍ଷ ଭିତରେ ସରକାରୀ ହସ୍ପିଟାଲଗୁଡ଼ିକରେ ବହୁ ରୋଗୀଙ୍କଠାରେ କିଡ୍‌ନୀ ପ୍ରତ୍ୟରୋପଣ କରାଯାଇଛି। ସେହିଭଳି ରାଜ୍ୟର ୨୪ଟି ସରକାରୀ ହସ୍ପିଟାଲରେ ସହାୟ ସ୍କିମ୍‌ରେ ଡାଏଲିସିସ୍ ମଧ୍ୟ ବିନା ମୂଲ୍ୟରେ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ‌ଯୋଜନାରେ ଗରିବ ଲୋକଙ୍କୁ କ୍ୟାସ୍‌ଲେସ୍‌ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ୟୁରୋଲୋଜି ବିଭାଗ କ୍ଷେତ୍ରରେ ଯେତେ ନୂଆ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉଦ୍‌ଭାବନ ହୋଇଚାଲିଛି, ସେ ସବୁକୁ ଓଡ଼ିଶାରେ ଉପଲବ୍‌ଧ କରାଇବା ପାଇଁ ସରକାର ଚେଷ୍ଟିତ ବୋଲି ସେ କହିଥିଲେ। ୨୦ ବର୍ଷ ପରେ ଓଡ଼ିଶାରେ ଏଭଳି ଏକ ବିଶ୍ବସ୍ତରୀୟ ସମ୍ମିଳନୀ ଦ୍ବିତୀୟ ଥର ପାଇଁ ଆୟୋଜନ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକମହାପାଳ ସନ୍ତୋଷ କୁମାର କାମିଲାଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର୍ ଉନ୍ମୋ‌ଚନ କରିଥିଲେ। ୟୁଏସ୍‌ଆଇର ସଭାପତି ଡ. ଅଜିତ୍ ଏମ୍‌ ଭାଜେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡ. ରବୀନ୍ଦ୍ର ବି ସବ୍‌ନିସ୍‌ ବାର୍ଷିକ ବିବରଣୀ ପଠ କରିଥିଲେ। ୪ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ୟୁରୋଲୋଜି ବିଭାଗର ଡାକ୍ତର ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଶେଷରେ କାର୍ଯ୍ୟକ୍ରମର ସଂଗଠକ ସମ୍ପାଦକ ପ୍ରଫେସର ଦତ୍ତେଶ୍ବର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର