‘କଥା’ର ବାର୍ଷିକ ଉତ୍ସବ ୯ରେ : ଯୋଗଦେବେ ମାଧବ କୌଶିକ ଏବ˚ ମଧୁସୂଦନ ଆନନ୍ଦ

ଭୁବନେଶ୍ବର : ଆସନ୍ତା ୯ ତାରିଖ ସକାଳ ୧୦ଟା ୩୦ରେ ଜୟଦେବ ଭବନଠାରେ ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ଦ୍ବାତ୍ରି˚ଶତ୍‌ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଅତିଥି ଭାବରେ ଯୋଗ ଦେବେ ବିଶିଷ୍ଟ ଲେଖକ ଓ ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକ ଏବ˚ ବିଶିଷ୍ଟ ହିନ୍ଦୀ କଥାକାର ଓ ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ। ‘ସମ୍ବାଦ’ର ସଂପାଦକ ତଥା ‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଶ୍ରୀଯୁକ୍ତ କୌଶିକ ହିନ୍ଦୀରେ କବିତା, ଗୀତ, ଗଜଲ୍‌, କାହାଣୀ, ଆଲୋଚନା, ଶିଶୁ ସାହିତ୍ୟ ରଚନା କରିବା ସହିତ ଅନୁବାଦ ସାହିତ୍ୟରେ ମଧ୍ୟ ମନୋନିବେଶ କରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ତିରିଶରୁ ଅଧିକ ସଂଖ୍ୟକ ପୁସ୍ତକ ପ୍ରକାଶିତ ହୋଇସାରିଛି। ସେ ପାଇଥିବା ସମ୍ମାନ ଓ ସ୍ବୀକୃତି ମଧ୍ୟରେ ରହିଛି ‘ହଂସ କବିତା ସମ୍ମାନ’, ‘ରବୀନ୍ଦ୍ର ନାଥ ବଶିଷ୍ଠ ସମ୍ମାନ’, ‘ସହସ୍ରାବ୍ଦୀ ସମ୍ମାନ’, ‘ରାଜଭାଷା ରତ୍ନ’ ଏବଂ ‘ମହାକବି ସୁରଦାସ ସମ୍ମାନ’ ଇତ୍ୟାଦି। ସେହିପରି ଶ୍ରୀ ମଧୁସୂଦନ ଆନନ୍ଦ ହେଉଛନ୍ତି ଦେଶର ଜଣେ ସୁପରିଚିତ ସାମ୍ବାଦିକ ଏବଂ ସାହିତ୍ୟିକ। ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ରହିବା ସହିତ ସାହିତ୍ୟ ପତ୍ରିକା ‘ନୟା ଜ୍ଞା‌େନାଦୟ’ର ସେ ହେଉଛନ୍ତି ସଂପାଦକ। ଏହା ପୂର୍ବରୁ ସେ ‘ନୟି ଦୁନିଆ’, ‘ନବଭାରତ ଟାଇମ୍ସ’ ଏବଂ ‘ଦୈନିକ ଜାଗରଣ’ ଆଦି ଖବରକାଗଜର ସଂପାଦକ ଭାବରେ ଦାୟିତ୍ବ‌ ନିର୍ବାହ କରିଛନ୍ତି। ଉଭୟ କାହାଣୀ ଓ କବିତା ରଚନା କରୁଥିବା ଶ୍ରୀ ଆନନ୍ଦଙ୍କ ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ‘କରୌନ୍ଦେଁ କା ପେଡ୍‌’, ‘ସାଧାରଣ ଜୀବନ’ ଏବଂ ‘ବଚ୍‌ପନ୍‌’ ଇତ୍ୟାଦି। ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ସେ ଏକାଧିକ ଜାତୀୟ ସ୍ତରର ପୁରସ୍କାର ପାଇଛନ୍ତି। ଏହି ଉତ୍ସବରେ ଦଶ ଜଣ ତରୁଣ ଲେଖକ ଲେଖିକାଙ୍କୁ ୨୦୧୮ ମସିହାର ନବପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ନବପ୍ରତିଭା ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ଗାଳ୍ପିକ ଗାଳ୍ପିକା ହେଲେ ରଶ୍ମି ରଞ୍ଜନ ସାହୁ, ଲିଜାଲିନ୍‌ ବିଶ୍ବାଳ, ଦେବାନା˚ପ୍ରିୟ ପ୍ରିୟଦର୍ଶୀ ସାମଲ, ଡିଲେଶ୍ବର ରଣା, ଆଶିଷ କୁମାର ମିଶ୍ର, ଯୋଗେଶ୍ବର ପଣ୍ତା, ଜ୍ଞାନରଞ୍ଜନ ତ୍ରିପାଠୀ, ଅବକାଶ ପ୍ରଧାନ, ଦୁର୍ଗାଶିଷ ପଟ୍ଟନାୟକ ଏବ˚ ଦେବହୂତୀ ସାହୁ। ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ। ଏହି କାର୍ଯ୍ୟକ୍ରମରେ ଲେଖକ ଲେଖିକା ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ‘କଥା’ର ସଂପାଦକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର