ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ସଭା

ଭୁବନେଶ୍ୱର, : ଭାରତୀୟ ବିଶ୍ୱବି଼ଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭା ଆଜି ସୋଆ ବିଶ୍ବବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ସଭାକୁ ଉଦ୍‌ଘାଟନ କରି କହିଲେ ଶିକ୍ଷାନୁଷ୍ଠାନଗୁଡ଼ିକ ସାଧାରଣ ଓ ଡିଜିଟାଲ୍ ଭିତ୍ତିଭୂମି ଦ୍ବାରା ନିଜର ଉପସ୍ଥିତି ଜାହିର୍ କରିପାରିବେ। ହେଲେ ଭାବନାତ୍ମକ ଓ ବୌଦ୍ଧିକତା ଭିତ୍ତିଭୂମି ଶିକ୍ଷାନୁଷ୍ଠାନଗୁଡିକୁ ଭିନ୍ନ ଭାବେ ଗଢ଼େ। କଲିକତା ବିଶ୍ବବିଦ୍ୟାଳୟ, ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସେଥିପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ଶିକ୍ଷାନୁଷ୍ଠାନର ସଫଳତା ତା’ର ଶିକ୍ଷକମାନଙ୍କ ଉପରେ ନିର୍ଭର କରେ। ସେମାନେ ପା‌ଠ ପଢ଼ାଇବା ସହ ଗବେଷଣା ଉପରେ ଧ୍ୟାନ ଦେବା ଆବଶ୍ୟକ।

ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ ଏନ୍ ଗୁପ୍ତା ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରକୈନ୍ଦ୍ରିକ ହେବା ଆବଶ୍ୟକ। ସେମାନଙ୍କ ଭବିଷ୍ୟତ ଓ ନିଯୁକ୍ତି ସୁଯୋଗକୁ ଦେଖି ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ୍। ୨୦୧୧ ଜନଗଣନା ଅନୁଯାୟୀ ମାତ୍ର ୮ ପ୍ରତିଶତ ଭାରତୀୟ ସ୍ନାତକ ଡିଗ୍ରି ହାସଲ କରୁଛନ୍ତି। ଏବେ ବି ଆମ ଶିକ୍ଷାନୁଷ୍ଠାନଗୁଡିକ ଆବଶ୍ୟକୀୟ ଉନ୍ନତି କରିପାରୁ ନଥିବା ସେ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ଭେର ୨୦୧୭-୧୮ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୨୩ଟି କଲେଜ ରହିଛି। ସର୍ବଭାରତୀୟସ୍ତରରେ ଏହି ସଂଖ୍ୟା ୨୮ ରହିଛି। ତେବେ ଶିକ୍ଷା ଦ୍ବାରା ହିଁ ମାନବ ସମାଜର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। ସଂଘର ସଭାପତି ପ୍ରଫେସର ସନ୍ଦୀପ୍‌ ସଂଚେତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁଜିସି ସଚିବ ରଜନୀଶ ଜୈନ୍‌, ସଂଘର ମହାସଚିବ ପ୍ରଫେସର ଫୁରକାନ୍ କର୍ମା, ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଥିଲା। ତିନି ଦିନ ଧରି ଚାଲିବାକୁ ଥିବା ଏହି ସାଧାରଣ ସଭାରେ ପ୍ରାୟ ୨୦୦ କୁଳପତି ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର