ପୁଣି ଚକଡ଼ା ନେଲା ଚାଷୀଙ୍କ ଜୀବନ

ଦେଢ଼ ମାସରେ ୯ ଚାଷୀଙ୍କ ଆତ୍ମହତ୍ୟା

ବରଗଡ଼/ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ସର୍ଲା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚକଡ଼ା ରୋଗ ସହ ମରୁଡ଼ି ଯୋଗୁଁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲଖନପୁର ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଅଧୀନରେ ଥିବା ସର୍ଲା ଗାଁର ଅର୍ଜୁନ ସତନାମି (୫୭) ଶନିବାର ସଂଧ୍ୟାରେ ବିଷ ପିଇ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକେ ବରଗଡ଼ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ରବିବାର ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି।

ମୋଟ ୫.୭୩ ଏକର ଜମିରୁ ଅର୍ଜୁନ ସତନାମି ୩ ଏକର ଜମିରେ ଖରିଫ ଚାଷ କରିଥିଲେ। ଲଖନପୁର ପେକ୍ସରୁ ୪୯ ହଜାର ୭୫୦ ଟଙ୍କା ସହ ଅନ୍ୟାନ୍ୟ ପ୍ରାୟ ୩୦ ହଜାର ଟଙ୍କା କୃଷି ଋଣ ଆଣିଥିଲେ। ହେଲେ, ଫସଲରେ ଚକଡ଼ା ଲାଗି ଯାଇଥିଲା। ଖର୍ଚ ଅପେକ୍ଷା କମ ଧାନ ଅମଳ ହୋଇଥିବା ଦେଖି ଅର୍ଜୁନ ସତନାମି ଚିନ୍ତିତ ଥିଲୋ। ଫସଲ କ୍ଷତି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଚାଷୀ ଅର୍ଜୁନ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ପୁଲିସ୍‌ ଏକ ଅପମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।

ମୃତ ଚାଷୀଙ୍କ ପରିବାରରେ ସ୍ତ୍ରୀ ଅଲେଖକାନ୍ତି, ଦୁଇ ପୁଅ ସତରାମ, ରାମପ୍ରସାଦ ଓ ଗୋଟିଏ ଝିଅ ଯମୁନା ଅଛନ୍ତି। ସେମାନଙ୍କୁ ରବିବାର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ପରେ ଜାତୀୟ ପରିବାର ମଂଗଳ ଯୋଜନା ଏବଂ ବିଧବା ଭତ୍ତା ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଚାଷୀ ଆତ୍ମହତ୍ୟା ଅଭିଯୋଗ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଫସଲ କ୍ଷୟକ୍ଷତି ଆକଳନ କରିବ ବୋଲି ସୂଚନା ମିଳିଛି। ବରଗଡ଼ ଜିଲ୍ଲାରେ ଏହି ଘଟଣାକୁ ମିଶାଇ ଗତ ଦେଢ଼ ମାସରେ ୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର