ଆର୍‌ଏସ୍‌ପି ନ୍ୟୁ ପ୍ଲେଟ୍‌ ମିଲ୍‌ ପୁଣି ଅଚଳ

ରାଉରକେଲା : କର୍ମଚାରୀଙ୍କ ଶ୍ରମ ଅବଦାନରେ ଗତ ଏପ୍ରିଲ୍‌ରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ଟିକସ ପୈଠ ପୂର୍ବ ଲାଭ (ପିବିଟି) ୭୫ କୋଟି ଟଙ୍କାରେ ପହଞ୍ଚିବା ଖୁସି ଖବର। ମାତ୍ର ସେମାନଙ୍କ ଦୁଃଖ ହେଲା-ପରିଚାଳନାଗତ ତ୍ରୁଟିରୁ ୧୫୦ କୋଟି ଟଙ୍କାର ପିବିଟି ଲକ୍ଷ୍ୟ ଅଧାରେ ରହିଯାଇଛି।

ନାମ ଓ ପରିଚୟ ଗୋପନ ରଖିବା ସର୍ତ୍ତରେ କର୍ମଚାରୀ ସଂଗଠନର କେତେକ ନେତା ସଦ୍ୟ ଦୃଷ୍ଟାନ୍ତକୁ ଆଲେଖ୍ୟ କରି କହିଛନ୍ତି, ବୃହତ୍ତର ମରାମତି (କ୍ୟାପିଟାଲ୍‌ ରିପେୟାର୍‌) ଆଳରେ ପ୍ଲାଣ୍ଟ୍‌ର ନୂଆ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌) ୧୨ ଦିନ କାଳ ବନ୍ଦ ରହିବା ପରେ ଗତ ଏପ୍ରିଲ୍‌ ୧୮ରେ ତାହା କାର୍ଯ୍ୟକ୍ଷମ ହୋଇଥିଲା। ସେହି ଏନ୍‌ପିଏମ୍‌ର ଫର୍ଣ୍ଣେସ୍‌ ଲାଇନ୍‌ରେ ପୁଣି ପାଣି ଓ ଗ୍ୟାସ୍‌ ଲିକ୍‌ ହେବାରୁ ତାହାକୁ ଚଳିତ ମେ’ ୯ ତାରିଖରୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି। ସାମ୍ପ୍ରତିକ ତ୍ରୁଟିର ସୁଧାର ପାଇଁ ପୁନର୍ବାର କ୍ୟାପିଟାଲ୍‌ ରିପେୟାର ଆଳରେ କର୍ତ୍ତୃପକ୍ଷ ଏନ୍‌ପିଏମ୍‌କୁ ନିହାତି ସପ୍ତାହେ ବନ୍ଦ ରଖିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଅନ୍ୟାନ୍ୟ ମିଲ୍‌ରୁ ଯନ୍ତ୍ରାଂଶ ଓ ସମ୍ବଳ ଅଣାଯାଇ ଏହାର ମରାମତି ଚାଲିଛି। ତେବେ ଦୈନିକ ୩୦୦୦ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏନ୍‌ପିଏମ୍‌ ପୁନର୍ବାର କାର୍ଯ୍ୟକ୍ଷମ ହେବାକୁ ଅଧିକ ଦୁଇ ଦିନ ଲାଗିବା ସମ୍ଭାବନା ବେଶି।

ଉଲ୍ଲେଖଯୋଗ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ଏନ୍‌ପିଏମ୍‌ରୁ ଉତ୍ପାଦିତ ପ୍ଲେଟ୍‌ର ଦାମ ହିସାବରେ ଏପ୍ରିଲ୍‌ ମାସରେ ଏନ୍‌ପିଏମ୍‌ ୧୨ ଦିନ ବନ୍ଦ ରହିଥିବାରୁ ଆର୍‌ଏସ୍‌ପି ପ୍ରାୟ ୧୬୦ କୋଟି ଟଙ୍କାର ଉତ୍ପାଦନ କ୍ଷତି ହୋଇଥିବା ବେଳେ ସେହି ହିସାବରେ ମେ’ ମାସରେ ଏନ୍‌ପିଏମ୍‌ ୯ ଦିନ ପାଇଁ ବନ୍ଦ ରହୁଥିବାରୁ ଆଉ ପ୍ରାୟ ୯୦ କୋଟି ଟଙ୍କା କ୍ଷତି ହେବ।

ସମ୍ବନ୍ଧିତ ଖବର