ମିଳିମିଳା ଟିକାକରଣ : ପୁଣି ଶିଶୁ ମୃତ୍ୟୁ ଅଭିଯୋଗ

ସ୍ୱାସ୍ଥ୍ୟ ବିଭାଗର ଖଣ୍ଡନ, ୭ଦିନ ମଧ୍ୟରେ ରିପୋର୍ଟ ଦିଆଯିବ

ଭୁବନେଶ୍ୱର : ଗତ ୩ ଦିନ ମଧ୍ୟରେ ରାଜ୍ୟରେ ମିଜିଲ୍‌ସ ରୁବେଲା ଟିକା ନେଇ ୨ଜଣ ଶିଶୁ ପ୍ରାଣ ହରାଇବା ଅଭିଯୋଗ ହୋଇଛି। ୨୦ଜଣ ଶିଶୁ ଅସୁସ୍ଥ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ନଜରକୁ ଆସିଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏଭଳି ଅଭିଯୋଗକୁ ଅସ୍ୱୀକାର କରି ଚାଲିଛି। ଏଭଳି ଘଟଣା ମିଜିଲ୍‌ସ ରୁବେଲା ଟିକାଜନିତ ହୋଇ ନ ଥିବା ସଫେଇ ଦେଇଛି। ଗୋଟିଏ ପଟେ ମିଜିଲ୍‌ସ ରୁବେଲା ଟିକା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଲାଗି ରହିଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁର କାରଣ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ ନ କରିବା ଘଟଣାକୁ ଅଧିକ ସନ୍ଦେହ ଭିତରକୁ ଟାଣି ନେଇଛି।

ଗତ ୬ତାରିଖରେ ଝାରସୁଗୁଡ଼ାର ଏକ କନ୍ୟାଶ୍ରମରେ ପଢ଼ୁଥିବା ଅଞ୍ଜୁ କିଷାନଙ୍କ ମିଜିଲ୍‌ସ ରୁବେଲା ଟିକା ନେଇ ମୃତ୍ୟୁ ଅଭିଯୋଗ ପରେ ମୟୂରଭଞ୍ଜ ଜିଲ୍ଲାରୁ ବି ଆସିଛି ସମାନ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଅଗ୍ନିକୁଅାଁରୀ ଗାଁର ନାବାଳିକା ଜ୍ୟୋତ୍ସ୍ନା ମଳିକ(୫) ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଟିକା ନେଇ ଏଭଳି ମୃତ୍ୟୁ ହେବାକୁ ସ୍ୱାସ୍ଥ୍ୟ ବିଭାଗ ଖଣ୍ଡନ କରିଛି। ମୃତ୍ୟୁର କାରଣ ଯାଞ୍ଚ କରାଯାଉଛି ଏବଂ ଆସନ୍ତା ୭ଦିନ ମଧ୍ୟରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ।

ଆଜି ସ୍ୱାସ୍ଥ୍ୟସେବା ନିର୍ଦେଶାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟିକାକରଣ ଅଧିକାରୀ ଡା.ତାପସ ପାତ୍ର କହିଲେ, ଗତ ୩ତାରିଖରେ ଜ୍ୟୋତ୍ସ୍ନା ଟିକା ନେଇଥିଲେ। ୫ତାରିଖ ରାତିରେ ତାଙ୍କର ଜ୍ୱର ହୋଇଥିଲା। ୬ତାରିଖରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ଜ୍ୟୋତ୍ସ୍ନାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ରାତି ୮ଟା ୧୫ରେ ତାଙ୍କୁ ଡାକ୍ତରଖାନାରେ ଆଡମିଟ୍‌ କରାଯାଇଥିବା ବେଳେ ରାତି ୧୧ଟା ୧୫ମିନିଟ୍‌ରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା। ଯେହେତୁ ଡାକ୍ତରଖାନାରେ ସେ ବହୁତ କମ୍‌ ସମୟ ରହିଥିଲା ତେଣୁ ମୃତ୍ୟୁର କାରଣ ଅନୁଧ୍ୟାନ କରିବା ସମ୍ଭବ ହୋଇପାରି ନାହିଁ। ଆସନ୍ତା ୭ଦିନ ମଧ୍ୟରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ଟିକା ଯୋଗୁଁ ଶିଶୁର ମୃତ୍ୟୁ ହୋଇ ନଥିବା ଡା.ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଡା.ପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ଗତ ୮ଦିନ ମଧ୍ୟରେ ରାଜ୍ୟରେ ୬୪ଲକ୍ଷ ୨୭ହଜାର ୮୭୪ଜଣ ଶିଶୁଙ୍କୁ ମିଜିଲ୍‌ସ ରୁବେଲା ଟିକା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା ଓ ପରିବାର କଲ୍ୟାଣ ନିର୍ଦେଶକ ଡା.ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର