ନିଆରା ଅଂଶୁମାନ : ନିଜେ କାରିଗର, ନିଜେ ପୂଜାରୀ

କଟକ : ଭକ୍ତି ଭାବନାକୁ ପ୍ରକାଶ କରିବା ପାଇଁ ରହିଛି ଅନେକ ବାଟ। କିଏ ଚାରି ଧାମ ବୁଲି ପୂଣ୍ୟ ଅର୍ଜିଥାଏ ତ କିଏ ମନ୍ଦିର ତୋଳି ମାନସିକ ପୂରଣ କରିଥାଏ। କିନ୍ତୁ ଏମିତି ‌ଜଣେ ନିଆରା ଭକ୍ତ ଅଛନ୍ତି; ଯିଏ ନିଜେ ମା’ଙ୍କ ମୂର୍ତ୍ତି ତିଆରି କରି ନିଜେ ପୂଜା କରୁଛନ୍ତି। ଗଲା ୧୦ ବର୍ଷ ହେବ ଏଭଳି ଅଭିନବ ଢଙ୍ଗରେ ଦୁର୍ଗାପୂଜା କରି ଆସୁଥିବା ସମର୍ପିତ ଭକ୍ତ ଜଣକ ହେଉଛନ୍ତି ଅରୁଣୋଦୟ ନଗର ବସିନ୍ଦା ଇଂଜିନିୟର ଅଂଶୁମାନ ମିଶ୍ର। ବୃତ୍ତିରେ ସେ ଜଣେ ଅଧ୍ୟାପକ ହୋଇଥିବା ବେଳେ ପେସା କିନ୍ତୁ ଚିତ୍ର ଆଙ୍କିବା, ମୂର୍ତ୍ତି ଗଢ଼ିବା। ଆଉ ଏହି ଝୁଙ୍କ୍‌ ଆଜି ତାଙ୍କୁ ବିନା ପ୍ରଶିକ୍ଷଣରେ ଜଣେ ପୋଖତ ଶିଳ୍ପୀ ରୂପେ କେବଳ ଗଢ଼ି ତୋଳିଛି ତା’ନୁହେଁ; ବରଂ ନିଜେ କାରିଗର ଓ ନିଜେ ପୂଜାରୀ ହେଇ ମା’ଙ୍କୁ ପୂଜିବାର ଏକ ଦୁର୍ଲଭ ଉଦାହରଣ ସୃଷ୍ଟି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଂଶୁମାନ ଜଣେ ଅଧ୍ୟାପକ। କଟକସ୍ଥିତ ପିଲୁ ମୋଦି କଲେଜ୍‌ ଅଫ୍ ଆର୍କିଟେକଚର୍‌ କଲେଜରେ ସେ ଏବେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏବେ ସେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ନିଜେ କାରିଗର ହେଇ ଏଥର ୩ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ଗଢ଼ିଥିବା ବେଳେ ପୂଜର୍ଚ୍ଚନା ବି ନିଜେ କରୁଛନ୍ତି। କୌଣସି ପୂଜାରୀର ସହଯୋଗ ଲୋଡ଼ୁ ନାହାନ୍ତି। ତେବେ ମା’ଙ୍କ ପ୍ରତି ଏପ୍ରକାର ସମର୍ପଣ ଭାବ ଏବେକାର ନୁହେଁ, ଗଲା ଦଶ ବର୍ଷ ହେବ ସେ ଏଭଳି କରି ଆସୁଛନ୍ତି। ବିଗତ ବର୍ଷ ମାନଙ୍କରେ କେବଳ କାଗଜରେ ମା’ଙ୍କ ମୂର୍ତ୍ତି ଗଢ଼ିବା ସହ ମେଢ଼ ବି କରୁଥିଲେ। ଏଥର କିନ୍ତୁ ପ୍ରଥମ ଥର ପାଇଁ ମାଟିରେ ଅତି ସୁନ୍ଦର ଭାବେ ସେ ମା’ଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ତାଙ୍କ କହିବାନୁଯାୟୀ, ପିଲା ଦିନୁ ଚିତ୍ର ଆଙ୍କିବା ତାଙ୍କ ସଉକ ଥିଲା। କିନ୍ତୁ ପାଠପଢ଼ା ଚାପ ଯୋଗୁ ଅଧିକ ସମୟ ଏ କ୍ଷେତ୍ରରେ ଦେଇପାରୁନଥିଲେ। ମାତ୍ର ଦଶ ବର୍ଷ ତଳୁ ମା’ଙ୍କ ମୂର୍ତ୍ତି କାଗଜରେ ତିଆରି କରି ପୂଜା କରିବା ପାଇଁ ନିଷ୍ପତ୍ତି ନେଇଥିଲି। ସେବେଠୁ ଏହି ପରମ୍ପରା ବଜାୟ ରଖିଛି। ଏଥର ଆଉ କାଗଜରେ ମା’ଙ୍କ ମୂର୍ତ୍ତି ନ ଗଢ଼ି ମାଟିରେ ଗଢ଼ିଛି। ଏଥିପାଇଁ ୧୫ଦିନ ସମୟ ଲାଗିଥିବା ସେ କହିଛନ୍ତି। ମା’ଙ୍କ ପଞ୍ଚ ଉପଚାର ପୂଜା କରି ନବମୀ ଦିନ ଖେଚୁଡ଼ି ଭୋଗ ପରେ ମା’ଙ୍କୁ ବିସର୍ଜନ କରିଥାଏ। ସେହିପରି ମା’ କାଳୀଙ୍କ ମୂର୍ତ୍ତି ମଧ୍ୟ ଗଢ଼ି ପୂଜା କରିଥାଏ ବୋଲି ଅଂଶୁମାନ କହିଛନ୍ତି। ତେବେ ନିଜେ ମୂର୍ତ୍ତି ତିଆରି କରି ନିଜେ ପୂଜାର୍ଚ୍ଚନା କରିବା ପଛରେ ସେଭଳି କୌଣସି ବଡ଼ କାରଣ ନାହିଁ। କିନ୍ତୁ ମା’ଙ୍କ ପ୍ରତି ସମର୍ପଣ ଭାବ ଓ ଭକ୍ତି ଭାବନା ଯୋଗୁ ଏ ସବୁ ସମ୍ଭବ ହେଉଛି ବୋଲି ଅଂଶୁମାନ କହିଛନ୍ତି। ମୂର୍ତ୍ତି ଗଢ଼ିବା ପାଇଁ କାହାଠୁ ପ୍ରଶିକ୍ଷଣ ନେଇ ନାହିଁ। ଭବିଷ୍ୟତରେ ପିଲାଙ୍କୁ କାଗଜ ଓ ମାଟି ମୂର୍ତ୍ତି ଗଢ଼ା କୌଶଳ ଶିଖାଇବାକୁ ଲକ୍ଷ୍ୟ ରଖିଥିବା ଅଂଶୁମାନ କହିଛନ୍ତି। ଯେଭଳି ପରିବେଶ ପ୍ରଦୂଷିତ ନହେବ ସେ ଦିଗ ପ୍ରତି ଧ୍ୟାନ ଦେଇ ସେ କାଗଜ ଓ ମାଟିରେ ସଂପୂର୍ଣ୍ଣ ମୂର୍ତ୍ତି ତିଆରି କରୁଛନ୍ତି।

ସମ୍ବନ୍ଧିତ ଖବର