ସବୁଠାରୁ ଶ୍ରେଷ୍ଠ ଅପରେସନ୍: ଡିଜି

ଭୁବନେଶ୍ବର : ରବିବାର ବିଳମ୍ବିତି ରାତିରେ ମାଲାକାନାଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ବେଜିଂଗୁଡ଼ା ସଂରକ୍ଷିତ ଜଙ୍ଗଲ ସନ୍ୟାସୀଗୁଡ଼ାରେ ମାଓବାଦୀଙ୍କ ବିରୋଧରେ ପୁଲିସ କରିଥିବା ଅପରେସନ୍ ସବୁଠାରୁ ଶ୍ରେଷ୍ଠ ଅପରେସନ୍। ଓଡ଼ିଶା ପୁଲିସ ଇତିହାସରେ ଏଭଳି ଅପରେସନ୍‌ ବିରଳ। ଓଡ଼ିଶା ପୁଲିସ ଏବେ ମାଓ ବିରୋ‌ଧୀ ଅପରେସନ୍‌ରେ ବେଶ୍‌ ସଫଳତା ପାଉଛି। ରବିବାର ରାତିରେ ପୁଲିସ ସହିତ ଗୁଳିଗୋଳାରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟିବା ପରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ଆଜି ଡିଜିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଶ୍ରୀ ଶର୍ମା କହିଛନ୍ତି, ରବିବାର ରାତିରେ ଗୁଇନ୍ଦା ସୂଚନା ପାଇଥିଲା କି, ଉକ୍ତ ଜଙ୍ଗଲରେ କେତେକ ମାଓବା‌ଦୀ ଏକ ବଡ଼ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଛନ୍ତି। ଖବର ପାଇବା କ୍ଷଣି ମାଲକାନାଗିରି ଏସ୍‌ପିଙ୍କ ନେତୃତ୍ବରେ ଏସ୍ଓଜି ଟିମ୍, ଡିଭିଏଫ୍ ଟିମ୍ ଜଙ୍ଗଲ ଭିତରକୁ ସର୍ଚ ଅପରେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ମାଓବାଦୀମା‌ନେ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚଳା ଯାଇଥିଲା। ଗୁଳି‌ଗୋଳା ବିନିମୟରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଯେଉଁଠି ଗୁଳିଗୋଳା ଘଟିଛି ତାହା ଆନ୍ଧ୍ରପ୍ରଦେଶ ସୀମାଠାରୁ ମାତ୍ର ଦେଢ଼ କିଲୋମିଟର। ଏହି ମାଓବାଦୀମାନେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାରେ ସକ୍ରିୟ ଥିଲେ। ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରେ ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ଆନ୍ଧ୍ର ପୁଲିସ ସୀମାରେ କଡ଼ା ସର୍ଚ ଅପରେସନ୍ ଆରମ୍ଭ କରିଛି। ଫଳରେ ଅନେକ ଆନ୍ଧ୍ର ମାଓବାଦୀ ଓଡ଼ିଶା ମୁହାଁ ହୋଇଛନ୍ତି। ଏଥିପାଇଁ ଓଡ଼ିଶା ପୁଲିସ ଏବେ ଆନ୍ଧ୍ର ପୁଲିସ ସହିତ ଗତ ଦୁଇ ସପ୍ତାହ ତଳୁ ଜଏଣ୍ଟ ଅପରେସନ୍ ଆରମ୍ଭ କରିଛି। ଏଥିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ।

ଏଭଳି ଅପରେସନ୍‌ ଆଗାମୀ ଦିନରେ ଛତିଶଗଡ଼ ଓ ଅନ୍ୟାନ୍ୟ ସୀମାବର୍ତୀ ଜିଲ୍ଲାରେ କରାଯିବ ବୋଲି ଡିଜି ଶର୍ମା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜି(ଅପରେସନ୍) ଆର୍‌ପି କୋଚେ, ଗୁଇନ୍ଦା ଆଇଜି ଆର୍‌‌କେ ଶର୍ମା, ମାଲାକାନାଗିରି ଏସ୍‌ପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର