ର‍୍ୟାଗିଂ ନେଇ କଡ଼ା ଆଭିମୁଖ୍ୟ : ଆଖି ମାରିଲେ ବି କାର୍ଯ୍ୟାନୁଷ୍ଠାନ

ଦୋଷୀ ସାବ୍ୟସ୍ତ ହେଲେ ବହିଷ୍କାର, କ୍ୟାମ୍ପସରେ କାର୍ଯ୍ୟକାରିତା ନେଇ ସନ୍ଦେହ

ଭୁବନେଶ୍ୱର : ର‍୍ୟାଗିଂକୁ ଆଉ ବରାଦାସ୍ତ କରାଯିବ ନାହିଁ। ଛାତ୍ର କିମ୍ବା ଛାତ୍ରୀଙ୍କୁ କୌଣସି ପ୍ରକାର ମାନସିକ, ଶାରୀରିକ, ଖରାପ ଆଚରଣ, କ୍ୟାମ୍ପସରେ ଟଣାଓଟରା, ଇଚ୍ଛା ବିରୋଧରେ ଆଲିଙ୍ଗନ, ଯୌନ ନିର୍ଯାତନା ପରି ଅଭିଯୋଗ ଆସିଲେ ତାହାକୁ ର‍୍ୟାଗିଂ ଭାବେ ଗଣାଯିବ। ଅଭିଯୋଗ ଆସିଥିବା ଛାତ୍ର/ଛାତ୍ରୀ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ କ୍ୟାମ୍ପସ୍‌ରୁ ବହିଷ୍କାର କରାଯିବ। ନାମଲେଖା ବାତିଲ୍‌ ହୋଇପାରେ। କ୍ଲାସ କରିବାକୁ ସୁଯୋଗ ଦିଆଯିବ ନାହିଁ, ସ୍କଲାରସିପ୍‌ ବାତିଲ୍‌ କରାଯିବ, ପରୀକ୍ଷା ଫଳ ସ୍ଥଗିତ ରଖିବା ପରି ଦଣ୍ଡବିଧାନ ହୋଇପାରେ। ଏଭଳି କଡ଼ା ନିୟମ ଜାରି କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ।

ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ ର‍୍ୟାଗିଂକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଆଖି ମାରିଲେ ବି ଏଣିକି କାର୍ଯ୍ୟାନୁଷ୍ଠାନ ହେବ। ଆଣ୍ଟି-ର‍୍ୟାଗିଂ ସେଲ୍‌କୁ ଅଧିକ କ୍ରିୟାଶୀଳ
କରିବା ଦିଗରେ ପଦକ୍ଷେପ ନିଆଯିବ। ଏନେଇ ବିଭାଗୀୟ ସଚିବଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ସର୍କୁଲାର୍‌ ଜାରି ହେବ। ଓଡ଼ିଶାରେ ର‍୍ୟାଗିଂ ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସହାୟତା ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ର‍୍ୟାଗିଂ ନେଇ ପ୍ରଥମ ଥର ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀ ଏଭଳି ଆକ୍ସନ କଥା କହିଛନ୍ତି ତାହା ନୁହେଁ। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏକାଧିକ ଥର ସର୍କୁଲାର ଜାରି ହୋଇଛି। ତଥାପି ର‍୍ୟାଗିଂ ଉପରେ ରୋକ ଲଗାଯାଇପାରି ନାହିଁ। ଗତ ୫ ବର୍ଷରେ ଓଡ଼ିଶାରେ ୨୦୭ଟି ର‍୍ୟାଗିଂ ଅଭିଯୋଗ ହୋଇଛି। ଯେଉଁଥିପାଇଁ ସାରା ଦେଶରେ ୪ର୍ଥ ସ୍ଥାନରେ ରହିଛି ଓଡ଼ିଶା। କେବଳ ୨୦୧୭ରେ ୪୬ଟି ଅଭିଯୋଗ ହୋଇଛି।

ବୈଷୟିକ ଶିକ୍ଷା ଓ ମେଡିକାଲ କଲେଜଗୁଡ଼ିକରେ ର‍୍ୟାଗିଂ ଅଧିକ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଓଡ଼ିଶାରେ ର‍୍ୟାଗିଂର ନୋଡାଲ ସେଣ୍ଟର୍‌ ଭାବେ ଦାୟିତ୍ୱ ଦିଆଯାଇଛି। ଗତ ଜୁନ୍‌ ମାସରେ ର‍୍ୟାଗିଂ ସଚେତନତା ସମ୍ପର୍କିତ ସର୍କୁଲାର ଜାରି କରିଥିଲା ବୈଷୟିକ ଶିକ୍ଷା ବିଭାଗ। ଏବେ ଉଚ୍ଚଶିକ୍ଷା ବିଭାଗ ଆକ୍ସନ ମୁଡ୍‌କୁ ଆସିଛି।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ର‍୍ୟାଗିଂ କମୁଛି। ଏବେ ସବୁ ଶିକ୍ଷାନୁଷ୍ଠାନ ସତର୍କତା ଅବଲମ୍ବନ କରୁଛନ୍ତି। ତଥାପି କିଛି ମାତ୍ରାରେ ର‍୍ୟାଗିଂ ହେଉଛି। ଏହାକୁ ରୋକିବା ପାଇଁ ଅଧିକ ଆକ୍ସନ ନେବାକୁ ପଡ଼ିବ। କଲେଜଗୁଡ଼ିକ ଆଣ୍ଟି-ର‍୍ୟାଗିଂ ସେଲ୍‌କୁ କ୍ରିୟାଶୀଳ କରିବା ସହ ସଚେତନତା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯେଉଁମାନେ ର‍୍ୟାଗିଂରେ ସାମିଲ ରହୁଛନ୍ତି ସମ୍ପୃକ୍ତ ଛାତ୍ର/ଛାତ୍ରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଛି। ଏହା ହେଲେ ଆହୁରି କମିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର