ବର୍ତ୍ତିଲା ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ : ଲେଭଲ୍‌ କ୍ରସିଂରେ ଧକ୍କା ଦେବାରୁ ଜେସିବି ଚୂର୍‌ମାର୍‌, ୨ ଯାତ୍ରୀ ଆହତ, ଗେଟ୍‌ମ୍ୟାନ୍‌ ନିଲମ୍ବିତ

ଧର୍ମଶାଳା/ଚଢ଼େଇଧରା : ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଏର୍ଣ୍ଣାକୁଲମ୍‌- ହାଓ୍ଵଡା ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ ଟ୍ରେନ୍‌। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଦେଇ ଯାଇଥିବା ପୂର୍ବତଟ ରେଳପଥର ପାଖର ଲେଭଲ୍‌ କ୍ରସିଂରେ ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ ଏକ ଜେସିବି ମେସିନ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜେସିବି ମେସିନ୍‌ ଚୂର୍‌ମାର୍‌ ହୋଇଯାଇଛି। ଏଥିରେ ୨ ଜଣ ରେଳଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଦାୟିତ୍ୱରେ ଅବହେଳା ପାଇଁ ଜଣେ ଗେଟ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଥିଲା।

ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ଜେସିବି ମେସିନ୍‌ ରେଳବାଇ ଲେଭଲ୍‌ କ୍ରସିଂ ପାର ହେଉଥିଲା। ଜେସିବିଟି ରେଳଧାରଣା ଉପରେ ହଠାତ୍‌ ଅଟକି ଯାଇଥିଲା। ଟ୍ରେନ୍‌ ଆସୁଥିବା ଦେଖି ଜେସିବି ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏ ସମ୍ପର୍କରେ ସେଠାରେ କାର୍ଯ୍ୟରତ ଗେଟ୍‌ମ୍ୟାନ୍‌ ଯଶୋବନ୍ତ ସ୍ୱାଇଁ ନିକଟସ୍ଥ ହରିଦାସପୁର ଷ୍ଟେସନ୍‌ମାଷ୍ଟରଙ୍କୁ ଫୋନ୍‌ ଯୋଗେ ଅବଗତ କରିଥିଲେ ହେଁ ସେତେବେଳକୁ ଏର୍ଣ୍ଣାକୁଲମ୍‌ -ହାଓ୍ଵଡ଼ା ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ (ଅପ୍‌ ୨୨୮୭୭/ ଡାଉନ୍‌-୨୨୮୭୮) ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ି ସାରିଥିଲା।

ଏକ ବଡ଼ଧରଣର ଅଘଟଣ ଆଶଙ୍କା କରି ଗେଟ୍‌ମ୍ୟାନ୍‌ ହାତରେ ନାଲିପତାକା ଧରି ରେଳଧାରଣା ଉପରେ ରହି ଟ୍ରେନ୍‌ଚାଳକଙ୍କୁ ବିପଦକାଳୀନ ସଂକେତ ଦେଇଥିଲେ। ଫଳରେ ଟ୍ରେନ୍‌ ଚାଳକ ବାରମ୍ବାର ବ୍ରେକ୍‌ ମାରି ଟ୍ରେନ୍‌ର ବେଗ କମାଇଦେବାରେ ସକ୍ଷମ ହୋଇଥିଲେ। ଟ୍ରେନ୍‌ଟି ରେଳଧାରଣା ଉପରେ ଅଟକି ରହିଥିବା ଜେସିବି ମେସିନ୍‌କୁ ଧକ୍କା ଦେଇ ଅଟକି ଯାଇଥିଲା। ଜେସିବିଟି ଭାଙ୍ଗିରୁଜି ଚୂର୍‌ମାର ହୋଇଯାଇଥିଲା।

ଦୁର୍ଘଟଣା ଯୋଗୁ ପ୍ରାୟ ୩ ଘଣ୍ଟା ଧରି ଉକ୍ତ ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଧର୍ମଶାଳା ଥାନା ପୁଲିସ ସମେତ ରେଲେଓ୍ଵ ପୁଲିସ, କମର୍ସିଆଲ୍‌ ମ୍ୟାନେଜର, ଇଂଜିନିୟର ଓ ବିଦ୍ୟୁତ୍‌ ଆଦି ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଜେସିବି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିବା ସହ ଅବରୋଧ ହଟାଇଥିଲେ। ଦୁର୍ଘଟଣାରେ ଆହତ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଦୁଇ ଜଣ ରେଳଯାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସରେ ବଡ଼ଚଣା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ପୁଣି ଏହି ଟ୍ରେନ୍‌ରେ ଛାଡ଼ି ଦିଆଯାଇଥିଲା। ଅପରାହ୍ନ ୨ଟାରେ ରେଳ ଚଳାଚଳ ସ୍ୱାଭାବିକ ହେବାରୁ ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ ଗନ୍ତବ୍ୟ ପଥରେ ଯାଇଥିଲା।

ସମ୍ବନ୍ଧିତ ଖବର