କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଃଖ ପ୍ରକାଶ କଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା‌ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଦୁଃଖପ୍ରକାଶ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି | ସେ କହିଛନ୍ତି ଯେ ଗଣମାଧ୍ୟମ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି । ମୁଁ ମିଡିଆକୁ ସବୁବେଳେ ସହଯୋଗ କରି ଆସିଛି । ୨ ଦିନ ତଳେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ଥିଲା ଏବଂ ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି | ଦୁଃଖପ୍ରକାଶ ସହ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷ ସମାଲୋଚନା ମଧ୍ୟ କରିଛନ୍ତି ଅନୁଭବ | ସେ କହିଛନ୍ତି, ୨୦୧୯ରେ ବୈଜୟନ୍ତ ପଣ୍ଡା ମୋ ଠାରୁ ଦେଢ ଲକ୍ଷ ଭୋଟରେ ହାରିଥିଲେ । ଏହାପରେ ତାଙ୍କ ପରିବାର ମାଲିକାନାରେ ଥିବା ଚ୍ୟାନେଲ ମୋ ଚରିତ୍ର ସଂହାର କରୁଛି । ମୋତେ ଅପମାନିତ କରିବା ପାଇଁ ଚ୍ୟାନେଲ ଉଦ୍ୟମ କରୁଛି । ଏପରି ନ କରିବାକୁ ମୁଁ ବୈଜୟନ୍ତଙ୍କୁ ଅନୁରୋଧ କରୁଛି । କେନ୍ଦ୍ରାପଡାବାସୀଙ୍କ ସେବା କରିବା ସମୟରେ ସେ ମୋତେ ହଇରାଣ ନକରନ୍ତୁ ବୋଲି ଟୁଇଟରରେ ଭିଡିଓ ପୋଷ୍ଟ କରି ମତ ରଖିଛନ୍ତି ଅନୁଭବ।


ଏହା ପୂର୍ବରୁ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଘଟଣା ପ୍ରତି ନିଶ୍ଚିତ ଦୃଷ୍ଟି ଦେବେ | ସେହିପରି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ  ଦୁର୍ବ୍ୟବହାର ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା |

ଅଭିଯୋଗ ଆଧାରରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜୁ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଜନୈକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା। ଏହାପରେ ସେ କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ଗତକାଲି ରାଜଧାନୀ ସମେତ ଆଉ କିଛି ସ୍ଥାନରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏକ ୧୦ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକଙ୍କୁ ସୁରକ୍ଷା ଦେବା, ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ସହ ସାଂସଦ ଶ୍ରୀ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର