ସୁଟିଂ ବେଳେ ପଡ଼ିଗଲେ ଅନୁଭବ

କଟକ : ଫିଲ୍ମ ସୁଟିଂ ସମୟରେ ପାଣି ଟାଙ୍କି ଉପରୁ ପଡ଼ି ଆହତ ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ରଜ ଅବସରରେ ମୁକ୍ତିଲାଭ କରିବାକୁ ଥିବା ତରଙ୍ଗ ସିନେ ପ୍ରଡକ୍ସନ୍‌ର ସିନେମା ‘ପ୍ରେମ୍‌ କୁମାର’ ସୁଟିଂ ଆଜି ମହାନଦୀ ବିହାରରେ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ସିନ୍‌ରେ ପାଣି ଟାଙ୍କି ଉପରୁ ଅନୁଭବଙ୍କୁ ତଳକୁ ଡେଇଁବାକୁ ଥିଲା। ଅନୁଭବ ତଳକୁ ଡେଇଁବା ପରେ ତାଙ୍କର ଡାହାଣ ଗୋଇଠି ମୋଡି ହୋଇଯାଇଥିଲା। ଯନ୍ତ୍ରଣାରେ ଅନୁଭବ ଚିତ୍କାର କରିବାରୁ ସେଟ୍‌ରେ ଥିବା ପ୍ରଡକ୍ସନ୍‌ ୟୁନିଟ୍‌ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ରାଣୀହାଟସ୍ଥିତ ଏକ ଘରୋଇ ନର୍ସିଂ ହୋମ୍‌କୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଅନୁଭବଙ୍କ ଦୁର୍ଘଟଣା ଖବର ପ୍ରଚାର ହେବା ପରେ ଓଲିଉଡର ବହୁ କଳାକାର ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ମା’ ମଧୁସ୍ମିତା ମହାନ୍ତି, ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଭାଇ ଅନୁପ୍ରାସ ମହାନ୍ତି, ତରଙ୍ଗର ରଂଜନ ଶତପଥୀ, ଅଭିନେତା ମନୋଜ ସେଠୀ, ଜିତୁ ମଙ୍ଗରାଜ ଓ ଅନ୍ୟାନ୍ୟ ପରିବାରବର୍ଗ ଲୋକମାନେ ହସ୍‌ପିଟାଲ୍‌ରେ ପହଞ୍ଚି ଅନୁଭବଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ସମ୍ବନ୍ଧିତ ଖବର