କାଶ୍ମୀରରେ ଉଗ୍ରବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ସାଂସଦ ଅନୁଭବ

କଟକ-ମହାନଦୀବିହାର : ଜମ୍ମୁ-କାଶ୍ମୀରକୁ ଏକ ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଉଗ୍ରବାଦୀ ଆକ୍ରମଣ ଏବଂ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ସାଂସଦ ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ। ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରୁ ଥିବା ବେଳେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍‌ ରବିନ୍ଦ୍ର ବେହେରା, ମେକଅପ୍‌ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ। ଆତଙ୍କବାଦୀଙ୍କୁ ପୁଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଅନ୍ୟପଟେ ଅନୁଭବଙ୍କ ଗାଡ଼ିକୁ ଜୋରରେ ସେହି ଅଞ୍ଚଳରୁ ନେଇ ଯିବା ପାଇଁ ଡ୍ରାଇଭର ଉଦ୍ୟମ କଲା ବେଳେ ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ସଂଧ୍ୟାରେ ଅନୁଭବ ଓ ତାଙ୍କର ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର