ଅଶୋକ, ଅରବିନ୍ଦ, ଅପରାଜିତାଙ୍କ ନାମାଙ୍କନ

ଭୁବନେଶ୍ବର/ବାଲିଅନ୍ତା : ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀ ସମେତ ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମୋଟ୍‌ ୧୪ଜଣ ପ୍ରାର୍ଥୀ ଭୁବନେଶ୍ବର ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ଭୁବନେଶ୍ବର ଏକାମ୍ର ପାଇଁ ୫ଜଣ, ଭୁବନେଶ୍ବର ମଧ୍ୟ ପାଇଁ ୨ଜଣ, ଭୁବନେଶ୍ବର ଉତ୍ତର ପାଇଁ ଜଣେ, ଜଟଣୀ ପାଇଁ ୨ଜଣ, ଜୟଦେବ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ବର ଏକାମ୍ର, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଭୁବନେଶ୍ବର ଉତ୍ତର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ବର ଏକାମ୍ରରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ହଜାର ହଜାର ସମର୍ଥକଙ୍କ ସହ ‌ଲିଙ୍ଗରାଜ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେ ରଥଦାଣ୍ଡରେ ଚାଲି ଚାଲି ଗୋସା‌ଗରେଶ୍ବର ପର୍ଯ୍ୟନ୍ତ ଯାଇଥିଲେ। ତାଙ୍କ ସହ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା, ରାଜ୍ୟ ଯୁବ ବିଜୁ ଜନତା ଦଳର ଉପଦେଷ୍ଟା ରଣଜିତ୍‌ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ।

ସେହିପରି ଭୁବନେଶ୍ବର ଏକାମ୍ର ପାଇଁ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ରବୀନ୍ଦ୍ରନାଥ ଦାଶ, ସରୋଜ କୁମାର ପଣ୍ଡା, ଭୀଷ୍ମ ନାରାୟଣ ନାୟକ ଏବଂ ତୃଣମୂଳ କଂଗ୍ରେସର ଭରତ ଚନ୍ଦ୍ର ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ବର ଉତ୍ତରର ବିଜେପି ପ୍ରାର୍ଥୀ ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶିଖରଚଣ୍ଡୀ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ଅପରାଜିତା। ତାଙ୍କ ସହ ତାଙ୍କ ପୁଅ ଅଭିନେତା ବାବୁସାନ୍‌ ମହାନ୍ତି, ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର, ଏହି ଆସନରେ ଗତ ଥର ନିର୍ବାଚନ ଲଢ଼ିଥିବା ଦିଲୀପ ମହାନ୍ତି, ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ।

ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରୁ ୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଅରବିନ୍ଦ ଢ଼ାଲି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ଭାବେ ନରେନ୍ଦ୍ରନାଥ ନାୟକ ବି ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶ୍ରୀ ଢାଲି ଏବଂ ଶ୍ରୀ ନାୟକ ନିଜର ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅପରପକ୍ଷେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆମ ସଂଗଠନ’ ପ୍ରଥମଥର ବିଧାୟକ ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ଜୟଦେବରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ନବକିଶୋର ମଲ୍ଲିକଙ୍କୁ ‘ଆମ ସଂଗଠନ’ ସମର୍ଥନ ଜଣାଇଛି। ଏହି ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ବିଷ୍ଣୁ ଚରଣ ମଲ୍ଲିକ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ବର ମଧ୍ୟ ପାଇଁ କଳିଙ୍ଗ ସେନାର ସୁଭଦ୍ରା ମିଶ୍ର ଏବଂ ଅଖିଳ ଭାରତ ହିନ୍ଦୁ ମହାସଭାର ସୁମନ୍ତ କୁମାର ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଟଣୀରେ ବିଜେପି ଟିକେଟ୍‌ ପାଇଥିବା ବିଶ୍ବରଂଜନ ବଡ଼ଜେନା ଆଜି ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।‌ ସେହିପରି କ୍ଷୀରୋଜ କୁମାର ମଙ୍ଗରାଜ ସ୍ବାଧୀନ ପ୍ରାର୍ଥୀ ଭାବେ ବି ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଅମୀୟଙ୍କୁ ଉପସଭାପତି ପଦ
ଭୁବନେଶ୍ବର ଏକାମ୍ରର ବିଜେପି ନେତା ଅମୀୟ ଦାଶଙ୍କୁ ଆଜି ଦଳ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ଦେଇଛି। ଭୁବନେଶ୍ବର ଏକାମ୍ରରୁ ବିଧାୟକ ପ୍ରାର୍ଥୀ ହେବାକୁ ପ୍ରଚାର କରୁଥିବା ଅମୀୟଙ୍କ ଟିକେଟ୍‌ କାଟି ଦଳ ବାବୁ ସିଂହଙ୍କୁ ଟିକେଟ୍‌ ଦେବା ପରେ ଅମୀୟ ଅସନ୍ତୁଷ୍ଟ ହୋଇଥିଲେ। ଏପରିକି ଅମୀୟ ଓ ତାଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ ବାବୁ ସିଂହଙ୍କୁ ବିରୋଧ କରିଥିଲେ। ଦଳ ଯଦିଓ ଅମୀୟଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା କିନ୍ତୁ ସେ କି ତାଙ୍କ ସମର୍ଥକମାନେ ବାବୁ ସିଂହଙ୍କ ପାଇଁ ପ୍ରଚାରରେ ଏପର୍ଯ୍ୟନ୍ତ ସାମିଲ୍‌ ହୋଇନାହାନ୍ତି। ନୂଆ ପଦବି ପାଇବା ପରେ ଅମୀୟ କ’ଣ ପଦକ୍ଷେପ ‌େନଉଛନ୍ତି ତାହାକୁ ଏକାମ୍ରବାସୀ ଅପେକ୍ଷା କରିଛନ୍ତି।

ଓଡ଼ିଆରେ ନାମାଙ୍କନପତ୍ର ଦାଖଲ କଲେ ଅଶୋକ
ଭୁବନେଶ୍ବର ଏକାମ୍ର ପାଇଁ ଆଜି ଅଶୋକ ଚନ୍ଦ୍ର ପଣ୍ଡା ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ତିନି ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏଥିରୁ ଗୋଟିଏ ସେଟ୍‌ ଓଡ଼ିଆରେ ଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହିସାବରେ ଶ୍ରୀ ପଣ୍ଡା ଓଡ଼ିଆରେ ନାମାଙ୍କନପତ୍ର ଦାଖଲ କରିବା‌ ଚର୍ଚ୍ଚାର ବିଷୟ ହୋଇଛି।

ଭୁବନେଶ୍ବର ମଧ୍ୟ ଓ ଉତ୍ତର ପାଇଁ କଂଗ୍ରେସ ପ୍ରାର୍ଥୀ ଦେଲା
ନାମାଙ୍କନପତ୍ର ଦାଖଲକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଭୁବନେଶ୍ବର ମଧ୍ୟ ଓ ଉତ୍ତର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଭୁବନେଶ୍ବର ଉତ୍ତର ପାଇଁ ଇତୀଶ ପ୍ରଧାନ ଏବଂ ଭୁବନେଶ୍ବର ମଧ୍ୟ ପାଇଁ ରାଜୀବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଇ ଯୁବନେତାଙ୍କୁ କଂଗ୍ରେସ ଟିକେଟ୍ ଦେବା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇ ଆସନରେ କଂଗ୍ରେସର କିଛି ବରିଷ୍ଠ ନେତା ଆଶାୟୀ ଥିବା ବେଳେ ଦଳ କିନ୍ତୁ ଯୁବ ନେତାଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛି। ଇତୀଶ୍ ପୂର୍ବରୁ ଛାତ୍ର କଂଗ୍ରେସର ସଭାପତି ଥିବା ବେଳେ ରାଜୀବ ବିଶ୍ବବିଦ୍ୟାଳୟ ଆଇନ କଲେଜର ସଭାପ‌ତି ଭାବେ ନିର୍ବାଚିତ ହେ‌ାଇଥିଲେ।

ସମ୍ବନ୍ଧିତ ଖବର