ଅପରାଜିତାଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ବିବାଦ

ଭୁବନେଶ୍ବର : ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ଏକ ବିବାଦ ଦେଖାଦେଇଛି। ଅପରାଜିତାଙ୍କୁ ସ୍ବେଚ୍ଛାକୃତ ଆବେଦନକୁ ରାଜ୍ୟ ସରକାର ଦୁଇ ମାସ ବିଳମ୍ବ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଜବାବ ଦେଇ ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, ଶ୍ରୀମତୀ ଷଡ଼ଙ୍ଗୀ ସ୍ବେଚ୍ଛାକୃତ ଅବସର ଆବେଦନ ସମୟରେ ଜଣାଇଥିଲେ ଯେ ସଂଯୁକ୍ତ ରାଷ୍ଟ୍ରର ଏକ ଏନ୍‌ଜିଓରେ କାର୍ଯ୍ୟ କରିବା ପାଇଁ ଚାହୁଁଥିବାରୁ‌ ସେ ଏହି ଅବସର ନେଉଛନ୍ତି। କିନ୍ତୁ କିଛି ଦିନ ପରେ ଯେତେବେଳେ ସେ ବିଜେପିରେ ଯୋଗ ଦେଲେ, ସେତେବେଳେ ପ୍ରକୃତ କଥା ପଦାକୁ ଆସିଲା ଓ ତାଙ୍କର ମିଛ ଧରାପଡ଼ିଲା। ଏ ପ୍ରକାର ମିଥ୍ୟାବାଦିତା ତାଙ୍କ ଠାରୁ ଆଶା କରାଯାଏ ନାହିଁ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଆ ସ୍ବାଭିମାନ ବିଷୟରେ ଅନେକ କଥା କୁହନ୍ତି ଓ ଅଣଓଡ଼ିଆ ଅଫିସର୍‌ମାନଙ୍କୁ ଅତି କଟୁ ଭାଷାରେ ଲାଞ୍ଛିତ କରନ୍ତି। କିନ୍ତୁ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପରି ଜଣେ ଅଣଓଡ଼ିଆ ବିହାରୀ ଅଫିସର୍‌ଙ୍କୁ ବିଜେପିରେ ସାମିଲ କରାଇଲେ। ରାଜ୍ୟ ବିଜେପି‌େର ଓଡ଼ିଆ ରାଜନେତାଙ୍କର କ’ଣ ଏମିତି ଦୁର୍ଭିକ୍ଷ ପଡ଼ିଲା ଯେ ଜଣେ ବିହାରୀ ଅଫିସର୍‌ଙ୍କୁ ଆଣିବା ଦରକାର ପଡ଼ିଲା ? ପଞ୍ଚାୟତ ଓ ୱାର୍ଡ ସ୍ତରରେ ବିଜେପିର ସଂଗଠନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଥିବା ସ୍ପଷ୍ଟ ହେଉଛି‌ ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର