ଭୁବନେଶ୍ବର : ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇ ଆସୁଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ୨୦୧୮ ମସିହାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକୁ ବିଚାରକୁ ନେଇ ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ମୋଟ୍‌ ୨୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦିଷ୍ଟ ସର୍ତାବଳୀ ସହ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଛି। ପୁରସ୍କାର ପାଇଁ ଚଳିତ ମାସ ୩୧ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ।

Advertisment

ଏଥିସହ ଆୟୋଜିତ ହେବାକୁ ଯାଉଥିବା ୭ମ ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ୟ ଦରଖାସ୍ତ ଆହ୍ବାନ କରାଯାଇଛି। ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରିବାକୁ ନଷ୍ପତ୍ତି ହୋଇଛି। ୨୦୧୮ ପୁରସ୍କାର ପାଇଁ ଆବେଦନ ଫର୍ମ ମନୋନୟନ ପତ୍ର, ସତ୍ୟପାଠର ନମୁନା ଓ ଅନ୍ୟାନ୍ୟ ବିବରଣୀ www.odishaculture.gov.in ରେ ଉପଲବ୍ଧ ଅଛି। ଚଳଚ୍ଚିତ୍ରଗୁଡ଼ିକ ୨୦୧୮ ମସିହା ଜାନୁଆରି ୧ତାରିଖରୁ ୨୦୧୮ ଡିସେମ୍ବର ୩୧ ମଧ୍ୟରେ ନିର୍ମିତ ହୋଇଥିବା ଆବଶ୍ୟକ। ଟେଲି ଧାରାବାହିକ ମଧ୍ୟ ଅନୁରୂପ ଭାବେ ସେହି ସମୟ ସୀମା ମଧ୍ୟରେ ପ୍ରସାରିତ ହୋଇଥିବ ଏବଂ ସେଗୁଡ଼ିକର ପ୍ରସାରଣ ପ୍ରମାଣପତ୍ର ଦରଖାସ୍ତ ସହ ସଂଲଗ୍ନ କରି ଦେବାକୁ ପଡ଼ିବ। କେବଳ ଓଡ଼ିଆ ଭାଷା, ଓଡ଼ିଆ ଜନଜାତି ଭାଷାରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ଓ ଟେଲି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପାଇଁ ବିଚାରକୁ ନିଆଯିବ। ‌ତେବେ କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଏଜେନ୍ସି ଦ୍ବାରା ପ୍ରାଧିକୃତ କୌଣସି ଚଳଚ୍ଚିତ୍ର, ଧାରାବାହିକ ଓ ଟେଲି ଚଳଚ୍ଚିତ୍ରକୁ ଏହି ପୁରସ୍କାରର ଅନ୍ତର୍ଭୁକ୍ତ କରାଯିବ ନାହିଁ। ସରକାରଙ୍କ ଦ୍ବାରା ପ୍ରଣୀତ ରାଜ୍ୟ ଚଳଚ୍ଚିତ୍ର ନିୟମ-୨୦୧୦ ଏବଂ ରାଜ୍ୟ ଟେଲି ପୁରସ୍କାର ନିୟମ-୨୦୧୩ ଅନୁଯାୟୀ ପୁରସ୍କାର ଚୟନ କରାଯିବ ବୋଲି ସୂଚନା ମିଳିଛି।