ସଚିବ ମାନିଲେ : ଆପ୍ରେଣ୍ଟିସ୍‌ ଆଇନ କାର୍ଯ୍ୟକାରୀ ହେଉନି

ବିଭାଗୀୟ ତାଲିକାରେ ଆରଏସ୍‌ପି ଅଣପଞ୍ଜୀକୃତ!

0 23

ଭୁବନେଶ୍ୱର : ରାଜ୍ୟରେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଆପ୍ରେଣ୍ଟିସ୍‌ ବା ଶିକ୍ଷାନବୀଶ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୨ ସୁଦ୍ଧା ଦେଶର ପ୍ରାୟ ୫୦ କୋଟି ବ୍ୟକ୍ତିଙ୍କ କୌଶଳ ଦକ୍ଷତା ବୃଦ୍ଧି ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବିଶେଷ କରି ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଛୋଟ, ମଧ୍ୟମ, ବଡ଼ ଶିଳ୍ପାନୁଷ୍ଠାନରେ ବାସ୍ତବ ତାଲିମ ପ୍ରଦାନ ସେମାନଙ୍କର ନିଯୁକ୍ତି ପାଇଁ ଅପରିହାର୍ଯ୍ୟ ବୋଲି ବିବେଚନା କରାଯାଉଛି। ଆପ୍ରେଣ୍ଟିସ୍‌ ଆଇନ, ୧୯୬୧ର ଧାରା ୩(କ) ଅନୁଯାୟୀ ଶିଳ୍ପାନୁଷ୍ଠାନଗୁଡ଼ିକ ଏହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନବୀଶ ତାଲିମ ଦେବା କଥା। କିନ୍ତୁ ରାଜ୍ୟରେ ବସ୍ତୁତଃ ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ। କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ପରୋକ୍ଷରେ ଏହା ସ୍ୱୀକାର କରିଛନ୍ତି।

ନିକଟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ାଙ୍କ ନିକଟକୁ ପତ୍ର ଲେଖି ତାଙ୍କୁ ଏଭଳି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତିି ବିଭାଗୀୟ ସଚିବ ସଂଜୟ ସିଂହ। ଆପ୍ରେଣ୍ଟିସ୍‌ ଆଇନ ୧୯୬୧ ଅଧୀନରେ ରାଜ୍ୟରେ ବିଭିନ୍ନ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପାନୁଷ୍ଠାନଗୁଡ଼ିକ ଶିକ୍ଷାନବୀଶ ତାଲିମ(ଅନ୍‌-ଜବ୍‌-ଟ୍ରେନିଂ) ପ୍ରଦାନର ଗୁରୁତ୍ୱ ରହିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏହି ଆଇନ ଅନୁଯାୟୀ ଅନ୍ୟୂନ ୬ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ଶିକ୍ଷାନବୀଶଙ୍କୁ ତାଲିମ ପାଇଁ ନିୟୋଜିତ କରିପାରିବେ। ରାଜ୍ୟରେ ଏହି ଧରଣର ପ୍ରାୟ ୧୧୬୮ଟି ଛୋଟ, ବଡ଼ ଶିଳ୍ପାନୁଷ୍ଠାନ ରହିଥିବା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ମାତ୍ର ୪୧୯ଟି ସଂସ୍ଥା ଆଇନ ମୁତାବକ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ମାତ୍ର ୩୦ଟି ସଂସ୍ଥା ତାଲିମ ପାଇଁ ଶିକ୍ଷାନବୀଶଙ୍କୁ ନିୟୋଜିତ କରୁଛନ୍ତି।

ବିଭାଗୀୟ ତାଲିକାରେ ଓଡ଼ିଶାର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା(ଆରଏସ୍‌ପି)କୁ ଅଣପଞ୍ଜୀକୃତ ଦର୍ଶାଯାଇଛି। ବାସ୍ତବପକ୍ଷେ, ଏହି ସଂସ୍ଥାରେ ଦୀର୍ଘ ବର୍ଷ ଧରି ଆଇଟିଆଇ, ଇଞ୍ଜିନିୟରିଂ ଶିକ୍ଷାନବୀଶଙ୍କୁ ନିୟୋଜିତ କରି ତାଲିମ ପ୍ରଦାନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଶତାଧିକ ଶିକ୍ଷାନବୀଶ ତାଲିମ ନେଉଥିବା ଜଣାଯାଇଛି। ଆରଏସ୍‌ପିରେ ୧୩୪୭୮ଜଣ ଶ୍ରମିକ, କର୍ମଚାରୀ କାର୍ଯ୍ୟ କରୁଥିବା ଦର୍ଶାଇଛି ଇପିକଲ୍‌। ଏହା ମଧ୍ୟ ବିଭ୍ରାନ୍ତିକର ତଥ୍ୟ।

ସେହି ବିଭାଗୀୟ ତାଲିକାନୁସାରେ ଝାରସୁଗୁଡ଼ାର ବେଦାନ୍ତ ଲିମିଟେଡ୍‌, ଏସ୍‌ଏମ୍‌ସି ପାଓ୍ଵାର ଜେନେରେସନ ଲିମିଟେଡ୍‌, ସୋନାପର୍ବତ(ରାଉରକେଲା)ର ଆଇଡିଏଲ୍‌ ଏକ୍ସପ୍ଲୋସିଭ୍‌, ଅନୁଗୁଳ ଜିଲ୍ଲାର ଜିନ୍ଦଲ ଇଣ୍ଡିଆ ଥର୍ମାଲ୍‌ ପାଓ୍ଵାର, ଭୂଷଣ ଏନର୍ଜି, ସମ୍ବଲପୁର ଜିଲ୍ଲାର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌, ବିଶାଖା ଇଣ୍ଡଷ୍ଟ୍ରିଜ୍‌ ଭଳି ଅନେକ ଶିଳ୍ପାନୁଷ୍ଠାନ ପଞ୍ଜୀକୃତ ହୋଇନାହାନ୍ତି। ଆରଏସ୍‌ପି ଭଳି ଏସବୁ ଜଣାଶୁଣା ଶିଳ୍ପାନୁଷ୍ଠାନ କେତେଦୂର ଅଣପଞ୍ଜୀକୃତ, ସେ ନେଇ ମଧ୍ୟ ସନ୍ଦେହ ରହିଛି। ଏସବୁ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀଙ୍କ ସଂଖ୍ୟା ନେଇ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ, ନିର୍ଦେଶକ(ଡିଟିଇଟି), ଇପିକଲ୍‌, ଶ୍ରମ କମିସନରଙ୍କ ଭଳି ସଂସ୍ଥା ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। କାହାରି ତଥ୍ୟ କାହା ସହିତ ମେଳ ଖାଉନାହିଁ। ଏଣୁ, ଶିଳ୍ପାନୁଷ୍ଠାନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବେଳେ ବିଭାଗ ପକ୍ଷରୁ ଯେପରି ପ୍ରସ୍ତୁତି ରହିବା କଥା, ସେଥିରେ ଖିଲାପ ହୋଇଥିବା ଦେଖିବାକୁ ମିଳୁଛି। ସଚିବଙ୍କ କହିବାନୁସାରେ ଆଇନ କାର୍ଯ୍ୟକାରୀ କରୁନଥିବା ୧୪୪ଟି ଶିଳ୍ପାନୁଷ୍ଠାନଙ୍କୁ ୨୦୧୭ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ନିର୍ଦେଶନାମାକୁ ଅବଜ୍ଞା କରୁଥିବା ଦର୍ଶାଇ ଶିଳ୍ପ ବିଭାଗ ଉପଯୁକ୍ତ ନିର୍ଦେଶନାମା ଜାରି କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ସଚିବ କ’ଣ ପାଇଁ ଏଭଳି ତଥ୍ୟ ଉପସ୍ଥାପନ କଲେ, ସେହି ତଥ୍ୟ କେତେଦୂର ସତ୍ୟ ସେ ନେଇ ତର୍ଜମାର ଆବଶ୍ୟକତା ରହିଛି। ଏହା ବିଭାଗର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ଟାଣିଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.