ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରିପ୍ରାପ୍ତ ୨ଟି ପ୍ରକଳ୍ପକୁ ଜମି ମଞ୍ଜୁର

ଭୁବନେଶ୍ୱର : ସିଙ୍ଗଲ୍‌ ଓ୍ଵଣ୍ଡୋ ଅନୁମୋଦନ କମିଟି ମଞ୍ଜୁରି ଦେଇଥିବା ୨ଟି ପ୍ରକଳ୍ପକୁ ଆଜି ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ଜମି ମଞ୍ଜୁର କରିଛି। ଏହା ଫଳରେ ପ୍ରସ୍ତାବିତ ଶିଳ୍ପ ସ୍ଥାପନ କାର୍ଯ୍ୟ ଆଗେଇ ଚାଲିବ। ତେବେ ନିର୍ଧାରିତ ସମୟସୀମା ମଧ୍ୟରେ ଜମିର ବିନିଯୋଗ କରିବା ସହିତ ସଂପୃକ୍ତ ଶିଳ୍ପ ସଂସ୍ଥା କାର୍ଯ୍ୟାରମ୍ଭ ନ କଲେ ଜମି ଫେରସ୍ତ ନିଆଯିବ ବୋଲି କଟକଣା ଜାରି ହୋଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ବୈଠକରେ ଡେରାସରେ ସି ଫୁଡ୍‌ ପାର୍କ ସ୍ଥାପନ ପାଇଁ ୪.୬୦ ଏକର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମେସର୍ସ କାଦେର ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଟ୍ରେଡିଂ କମ୍ପାନିର ଏହି ପାର୍କ ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରି ଦେଇଛି। ଏହି ପ୍ରସ୍ତାବ ମୁତାବକ ଚିଙ୍ଗୁଡି ପ୍ରକ୍ରିୟାକରଣ ଶିଳ୍ପ ନିମନ୍ତେ ୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। କିନ୍ତୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ହଜାର ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଛତାବର ଶିଳ୍ପାଞ୍ଚଳରେ ମନପସନ୍ଦ ବେଭେରେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ବେଭେରେଜ୍‌ ଶିଳ୍ପ ସ୍ଥାପନ ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ଅନୁଯାୟୀ କମ୍ପାନି ଫଳଭିତ୍ତିକ ପାନୀୟ ଶିଳ୍ପ ସ୍ଥାପନ କରିବ। ଏଥିପାଇଁ ୧୪୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ୧୫୦ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ନିମନ୍ତେ ୧୦ ଏକର ଜମି ଯୋଗାଇଦେବାକୁ ଆଜି କମିଟି ନିଷ୍ପତ୍ତି ନେଇଛି।

ବୈଠକରେ ଏହି ୨ଟି ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯିବା ପରେ ସେଥିପାଇଁ ଜମି ଯୋଗାଇଦେବାକୁ ମଞ୍ଜୁରି ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ, ଆଇନ, ରାଜସ୍ୱ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର