ବାଲେଶ୍ବରରେ ଜାତୀୟସ୍ତରୀୟ ଆକ୍ବା ଏକ୍ସପୋ ଉଦ୍‌ଘାଟିତ : ମାଛ ଚାଷରେ ଜୈବିକ ପଦ୍ଧତିକୁ ଗୁରୁତ୍ବ ଦିଆଯିବା ଜରୁରୀ

ବାଲେଶ୍ବର : ଉତ୍ତମ ଜ୍ଞାନକୌଶଳ ପ୍ରୟୋଗ କରି ଚିଙ୍ଗୁଡ଼ି ଚାଷକୁ କିପରି ଆଗକୁ ବଢ଼ାଯାଇପାରିବ ଏବଂ ସେଥିରୁ ସାଧାରଣ ଚାଷୀମାନଙ୍କ ସହ ବ୍ୟବସାୟୀମାନେ କିପରି ଲାଭବାନ ହୋଇପାରିବେ ସେଥିପାଇଁ ଆକ୍ବାଟିକ ଫିଡ୍‌ ଡିଲର୍ସ ଆସୋସିଏସନ୍‌, ସି ଫୁଡ୍‌ ଏକ୍ସପୋର୍ଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ସ୍ରିମ୍ପ ଫାର୍ମର୍ସ ଆସୋସିଏସନ୍‌ର ମିଳିତ ଆ‌ନୁକୂଲ୍ୟରେ ଚତୁର୍ଥ ଜାତୀୟସ୍ତରୀୟ ଆକ୍ବା କଲଚର୍‌ ଟ୍ରେଡ୍‌ ଫେୟାର ‘ଆକ୍ବା ଏକ୍ସପୋ ଓଡ଼ିଶା ୨୦୨୦ ଶନିବାରଠାରୁ ବାଲେଶ୍ବର ଆଇଟିଆଇ ପଡ଼ିଆରେ ଆରମ୍ଭ ହୋଇଛି। ଏହି ମେଳା ତିନିଦିନ ଧରି ଚାଲିବ। ମୁଖ୍ୟଅତିଥି କେନ୍ଦ୍ର ଏମ୍‌ଏସ୍‌ଏଇ, ମତ୍ସ୍ୟ ଓ ପଶୁପାଳନ ବିକାଶ ମନ୍ତ୍ରୀ ଡ.ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୈତିକ ସମୃଦ୍ଧିକୁ ୫ ଟ୍ରିଲିଅନ୍‌ ଡଲାରରେ ପହଞ୍ଚାଇବା ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି ତାକୁ ସାକାର କରିବା ଆମ ସମସ୍ତଙ୍କର ଉଦ୍ୟମ ହେବା ଆବଶ୍ୟକ। ସମସ୍ତଙ୍କର ଲକ୍ଷ୍ୟ ଓ ଆଭିମୁଖ୍ୟ ରାଷ୍ଟ୍ର ଓ ସମାଜକୈନ୍ଦ୍ରିକ ହେବା ଉଚିତ୍। ଆମ ଚାଷୀଙ୍କ ପାଖରେ ଥିବା ଅଭିଜ୍ଞତାକୁ କୃଷି ଉନ୍ନତି କ୍ଷେତ୍ରରେ ବିନିଯୋଗ କରାଯିବା ସହ ବୈଷୟିକ ପ୍ରଶିକ୍ଷଣ, ଆର୍ଥିକ ସହାୟତା ମାଧ୍ୟମରେ ସେମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରାଯିବା ଆବଶ୍ୟକ। ଜୈବିକ ପଦ୍ଧତିରେ ଚାଷ ହେଲେ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟି ହେବା ସହ ସମାଜ ରୋଗମୁକ୍ତ ହୋଇପାରିବ। ଏହାଛଡ଼ା ଆମ ରାଜ୍ୟରେ ବିଶେଷ କରି ବାଲେଶ୍ବର ଜିଲ୍ଲାରେ ମତ୍ସ୍ୟ ସମ୍ପଦର ଅମାପ ସୁଯୋଗ ରହିଛି। ସେଥିପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା ହୋଇଛି। ସମୟକ୍ରମେ ସେସବୁ ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ବାଲେଶ୍ବର ଚାମ୍ବର ଅଫ୍‌ କମର୍ସର ସଭାପତି ହିମାଂଶୁ ଦାସ କହି‌ଲେ, ମତ୍ସ୍ୟ ଉତ୍ପାଦନରେ ବାଲେଶ୍ବର ଜିଲ୍ଲା ବହୁ ଆଗରେ ରହିଛି। ଏଠାରେ ପ୍ରାୟ ୮ ହଜାର ଚାଷୀ ଓ ୧୦ରୁ ଊର୍ଧ୍ବ ରପ୍ତାନିକାରୀ ଅଛନ୍ତି। ତେଣୁ ଏଠାରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ କ୍ଲଷ୍ଟର ଡେଭଲପ୍‌ମେଣ୍ଟର ଆବଶ୍ୟକତା ରହିଛି। ଏ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଗଲେ ଗ୍ରାମାଞ୍ଚଳର ଅନେକ ମତ୍ସ୍ୟ ଚାଷୀ ଲାଭବାନ ହେବା ସହିତ ମତ୍ସ୍ୟ ସମ୍ପଦ ଉପରେ ନିର୍ଭରଶୀଳ ବିଭିନ୍ନ କ୍ଷେତ୍ରର ବିକାଶ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆକ୍ବା ଏକ୍ସପୋ-୨୦୨୦ ଏଏଫ୍‌ଡିଏର ଅଧ୍ୟକ୍ଷ ପ୍ରଭାରଞ୍ଜନ ପଟ୍ଟନାୟକ, ଓଏସ୍‌ଏଫ୍‌ଏର ଅଧ୍ୟକ୍ଷ ସଂଜୟ ମହାନ୍ତି, ସଂଗଠନ ସମ୍ପାଦକ ସଂଗ୍ରାମ ଦାସ, ସିଇଏଆଇଓଆର୍‌ ସଭାପତି କମଲେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ମତ୍ସ୍ୟଚାଷୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ପ୍ରଦାନ କରାଯିବ। ଚିଙ୍ଗୁଡ଼ି ଚାଷରେ ସରକାରୀସ୍ତରରେ ମିଳୁଥିବା ସୁବିଧା, ବିଭିନ୍ନପ୍ରକାର ଔଷଧ, ଉପକରଣ ଆଦିରେ କଣ ସବୁ ରିହାତି ରହିଛି ସେ ସଂପର୍କରେ ମତ୍ସ୍ୟଚାଷୀଙ୍କୁ ସୂଚନା ଦେବା ଲାଗି ମେଳାରେ ୧୧୪ଟି ଷ୍ଟଲ୍‌ ପଡ଼ିଛି।

ସମ୍ବନ୍ଧିତ ଖବର