ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅର୍ଜୁନ ସେଠୀ

ପୁଅକୁ ଟିକେଟ ନମିଳିବାରୁ ଝାଡ଼ିଲେ ଅସନ୍ତୋଷ, ପୂର୍ବତନ ସାଂସଦ ମୋହନ ଜେନା ବି ବିଜେପିରେ ସାମିଲ

ଭୁବନେଶ୍ବର : ସକାଳେ ବିଜେଡି ନେତୃତ୍ବ ଉପରେ ବିଷ ଓଗାଳିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ। ଦଳ ତାଙ୍କ ପୁଅକୁ କାହିଁକି ଟିକେଟ୍‌ ଦେଲାନି ବୋଲି ଅସନ୍ତୋଷ ଝାଡ଼ିଲେ। ଏହାର କିଛି ଘଣ୍ଟା ପରେ ପୁଅ ଅଭିମନ୍ୟୁ ସେଠୀଙ୍କ ସହ ଶ୍ରୀ ସେଠୀଙ୍କୁ ଦେଖିବାକୁ ମିଳିଲା ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ସେଠାରେ ଆ‌ୟୋଜିତ ମିଶ୍ରଣ ପର୍ବରେ ବାପା-ପୁଅ ବିଜେପିରେ ଯୋଗ ଦେଲେ। ପୂର୍ବତନ ସାଂସଦ ମୋହନ ଜେନା ବି ବିଜେପିରେ ସାମିଲ ହୋଇଥିଲେ।

ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଦୁଇ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ରରେ ଶ୍ରୀ ସେଠୀ ଦର୍ଶାଇଛନ୍ତି, ପ୍ରବାଦ ପୁରୁଷ ବିଜୁୁ ପଟ୍ଟନାୟକଙ୍କ ଅମଳରୁ ଗତ ୪୦ ବର୍ଷ ଧରି ସେ ଦଳର ଜଣେ ଦୃଢ଼ ସମର୍ଥକ ଭାବେ କାର୍ଯ୍ୟ କରି ଆସିଥିଲେ। ୧୯୯୦ ମସିହାରେ ବିଧାୟକ ହେବା ସହ ଜନତା ଦଳ ଓ ବିଜୁ ଜନତା ଦଳରୁ ଏବେ ସୁଦ୍ଧା ୬ ଥର ସାଂସଦ ଓ ୨ ଥର ବିଧାୟକ ହେବାର ସୌଭାଗ୍ୟ ମଧ୍ୟ ମିଳିଛି। ନବୀନ ବାବୁ ଓ ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଭାବେ ଯେ କୌଣସି ଆହ୍ବାନକୁ ମୁକାବିଲା କରିବାରେ କେବେ ବି ସେ ପଛଘୁଞ୍ଚା ଦେଇ ନ ଥିଲେ। ବିଜେଡି ଗଠନ ବେଳର ବାଧାବିଘ୍ନକୁ ସାମନା କରିବା ଠୁ ଆରମ୍ଭ କରି ସଂସଦରେ ଦଳର ବିଭାଜନକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦଳ ଯେତେବେଳେ େଯଉଁ ଦାୟିତ୍ବ ଦେଇଥିଲା ତାକୁ ସୁଚାରୁରୂପେ ଶ୍ରୀ ସେଠୀ ତୁଲାଇଛନ୍ତି। ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସିଛନ୍ତି।

ଶ୍ରୀ ସେଠୀ ତାଙ୍କ ଇସ୍ତଫା ପତ୍ରରେ ଆହୁରି ଦର୍ଶାଇଛନ୍ତି, ନିର୍ବାଚନର କିଛି ମାସ ପୂର୍ବରୁ ସଭାପତିଙ୍କୁ ଅନେକ ଥର ଭେଟି ବାର୍ଦ୍ଧକ୍ୟ ଯୋଗୁଁ ଚଳିତ ଥର ସେ ନିର୍ବାଚନ ଲଢ଼ିବାକୁ ଚାହୁଁ ନ ଥିବା ଜଣାଇଥିଲେ। ଏହା ସହିତ ଭଦ୍ରକ ଲୋକସଭା ପାଇଁ ଦଳୀୟ ଟିକେଟ ତାଙ୍କ ପୁଅକୁ ଦେବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ। ପୁଅକୁ ଟିକେଟ ଦେବାକୁ ସଭାପତି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଅଥଚ, ଯେଭଳି ଭାବେ ତାଙ୍କ ଅନୁରୋଧକୁ ଅଣଦେଖା କରି ଅନ୍ୟକୁ ଟିକେଟ ଦିଆଗଲା ସେଥିପାଇଁ ସେ ସଭାପତିଙ୍କୁ ସାକ୍ଷାତ କରି କଥା ହେବାକୁ ନବୀନ ନିବାସ ଆସି ୪ଘଣ୍ଟା ଅପେକ୍ଷା କରିବା ପରେ ବି ସୁଯୋଗ ମିଳିଲାନି। ଏହାକୁ ନେଇ ଶ୍ରୀସେଠୀ କ୍ଷୋଭ ପ୍ରକାଶ କରିବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ଶ୍ରୀ ସେଠୀ ଅପରାହ୍ନରେ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ସାମିଲ ହୋଇଥି‌େଲ। ତାଙ୍କୁ ସ୍ବାଗତ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଭଦ୍ରକରେ ଲମ୍ବା ସମୟ ପ୍ରତିନିଧିତ୍ବ କରିଥିବା ଶ୍ରୀ ସେଠୀ ଯେଉଁ ରାଜନୈତିକ ପଦକ୍ଷେପ ନେଲେ, ଓଡ଼ିଶାର ରାଜନୈତିକ ସମୀକରଣର ଏହା ବହୁତ ବଡ଼ ସଙ୍କେତ। ତେଣୁ ନିର୍ବାଚନୀ ସମୟ ଆଗକୁ କ’ଣ ହେବ, ତାହାର ଝଲକ ଏବେ ଠାରୁ ଦେଖିବାକୁ ମିଳିଲାଣି।

ଏହି ଅବସରରେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ସମେତ ବାସୁଦେବପୁର ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳ ଓ ବନ୍ତ ବ୍ଲକ୍‌ର ଚେୟାରମ୍ୟାନ୍ ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର