ବଲାଙ୍ଗୀର ଆସନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ : ବିଜେଡି ପ୍ରାର୍ଥୀ ଭାବେ ଅର୍କେଶଙ୍କ ନାଁରେ ମୋହର ମାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଶ୍ରୀମୟୀଙ୍କ ନିର୍ବାଚନ ଲଢିବା ଆଶା ଧୂଳିସାତ୍, ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କଲେ ଦଳପତି

ଭୁବନେଶ୍ୱର : ବଲାଙ୍ଗୀର ବିଜେଡି ଟିକେଟ ଲଢେଇରେ ବାଜି ମାରିନେଲେ ଅର୍କେଶ । ବଲାଙ୍ଗୀର ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଅର୍କେଶଙ୍କ ନାଁ ଘୋଷଣା ହେବା ପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ପୂର୍ବରୁ ଏହି ଆସନରେ କିଏ ଲଢେଇ କରିବ ତାହାକୁ ନେଇ ବିଜେଡିରେ ବଡ ଦ୍ୱନ୍ଦ ଦେଖିବାକୁ ମିଳିଥିଲା । ଏପରିକି ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଆସନକୁ ଝୁଲାଇ ରଖିଥିଲା ।

ବଲାଙ୍ଗୀର ଆସନକୁ ବିଜେଡି ଶେଷ ପର୍ଯ୍ୟନ୍ତ ଝୁଲାଇ ରଖିବା ପଛରେ ମଧ୍ୟ ବଡ କାରଣ ଲୁଚି ରହିଥିଲା । ଗୋଟିଏ ପଟେ ବାପା ଅନଙ୍ଗ ଉଦୟ ସିଂହଦେଓ ପୁଅ ଅର୍କେଶ ସିଂହଦେଓଙ୍କର ରାଜନୈତିକ କ୍ୟାରିୟର ଗଢିବା ପାଇଁ ନିଜେ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି ନେଇଥିଲେ । ଏପରିକି ପୁଅ ପାଇଁ ବାଲ୍ୟ ବନ୍ଧୁ ନବୀନଙ୍କ ପାଖରେ ଟିକେଟ ଲବି ମଧ୍ୟ କରିଥିଲେ । ତେଣୁ ଅର୍କେଶଙ୍କୁ ଟିକେଟ ରେସର ବଡ ଦାବିଦାର ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ଅର୍କେଶଙ୍କୁ ନେଇ ବଲାଙ୍ଗୀର ବାଜି ଖେଳିବାକୁ ପଛାଇଥିଲା ଦଳ । ଯେଉଁଥିପାଇଁ ବଲାଙ୍ଗୀର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହୋଇଥିଲା । ଏହାଛଡା ନବୀନଙ୍କ ମହିଳା କୋଟାରେ ବଲାଙ୍ଗୀର ଆସନରୁ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଥିଲେ ଶ୍ରୀମୟୀ ମିଶ୍ର ରାଜ୍ୟସ୍ତରର ଏହି ବିଜେଡି ନେତ୍ରୀ ଅର୍କେଶଙ୍କ ପାଇଁ ବଡ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିଲେ । ବିଭିନ୍ନ ମହିଳା ସମାବେଶରେ ନଜର ଆସୁଥିବା ଶ୍ରୀମୟୀ ନିର୍ବାଚନ ପୂର୍ବରୁ ବଲାଙ୍ଗୀରରେ ମଧ୍ୟ ବେଶ ସକ୍ରିୟ ରହିଥିଲେ । ଯାହା ରାଜପରିବାରର ସଦସ୍ୟଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏପରିକି ଦଳର ଗୋଟିଏ ଗୋଷ୍ଠୀ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ନବୀନ ନିବାସରେ ଲବି ମଧ୍ୟ ଆରମ୍ଭ କରିଥିଲେ । ତେବେ ପୁଅ ପାଇଁ ବାପା ଅନଙ୍ଗଙ୍କ ଲବି ଆଗରେ ଫେଲ ମାରିଥିଲା ଶ୍ରୀମୟୀଙ୍କ ଲବି । ଆଉ ଶେଷରେ ଆଜି ବଲାଙ୍ଗୀରରୁ ବିଜେଡି ପ୍ରାର୍ଥୀ ଭାବେ ଅର୍କେଶଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଆଉ ଏହାସହ ଶ୍ରୀମୟୀଙ୍କ ନିର୍ବାଚନ ଲଢିବା ଆଶା ଧୂଳିସାତ୍ ହୋଇଛି । ଏହାପୂର୍ବରୁ ଗତକାଲି ଶ୍ରୀମୟୀଙ୍କୁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଥିଲେ ଦଳପତି ।

ସମ୍ବନ୍ଧିତ ଖବର