ଦୁର୍ଘଟଣାରେ ଯବାନ ଦମ୍ପତିଙ୍କ ମୃତ୍ୟୁ
ସୌଭାଗ୍ୟକ୍ରମେ ବର୍ତ୍ତିଗଲା ଏକମାତ୍ର ପୁଅ
ଚୌଦ୍ୱାର-ଗୁରୁଡିଝାଟିଆ : ଆସାମ ରାଇଫଲ୍ସରେ କାର୍ଯ୍ୟରତ ଯବାନ ରଞ୍ଜିତ ମିଶ୍ର (୩୯) ଓ ତାଙ୍କ ପତ୍ନୀ ସୁମିତ୍ରା ମିଶ୍ର (୩୨) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଳି ଗ୍ରାମର ଯବାନ ରଞ୍ଜିତ ମିଶ୍ର ରବିବାର ରାତି ପ୍ରାୟ ୮ଟା ସମୟରେ କଟକରୁ ନିଜ ଗ୍ରାମକୁୁ ଏକ ଆକ୍ଟିଭାରେ ତାଙ୍କ ସ୍ତ୍ରୀଙ୍କ ସହିତ ଆସୁଥିବା ସମୟରେ ଚୌଦ୍ୱାର ଦେବୀନଗର ଗଡା ନିକଟରେ ଢେଙ୍କାନଳ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ନୂଆ ପିକ୍ଅପ୍ ଭ୍ୟାନ୍ ସେମାନଙ୍କୁୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯବାନ ରଞ୍ଜିତଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ସୁମିତ୍ରା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚୌଦ୍ୱାର ପିସିଆର୍ କଟକ ବଡମେଡିକାଲରେ ଭର୍ତି କରିଥିଲା। ହେଲେ କିଛି ସମୟ ପରେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏହି ଦମ୍ପତିଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସେମାନଙ୍କ ଗ୍ରାମ ବାଳିକୁ ଅଣାଯାଇଥିଲା । ପରେ ଗ୍ରାମ ଶ୍ମଶାନରେ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ୍ ଯବାନମାନେ ତାଙ୍କ ମରଶରୀରରେ ତ୍ରିରଙ୍ଗା ଆବରଣକରି ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ । ଶ୍ମଶାନ ନିକଟରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଉପସ୍ଥିତ ରହି ଶୋକ ପ୍ରଦର୍ଶନ ପୂର୍ବକ ନିରବ ପ୍ରାର୍ଥନା କରିଥିଲେ।
ସ୍ୱର୍ଗତ ସୁରେଶ ଚନ୍ଦ୍ର ମିଶ୍ରଙ୍କ ବଡ଼ ପୁଅ ରଞ୍ଜିତ ମିଶ୍ର ୧୯୯୯ରେ ଆସାମ୍ ରାଇଫଲ୍ସରେ ଯୋଗଦେଇ ନାଗାଲାଣ୍ଡରେ କାର୍ଯ୍ୟରତ ଥିଲେ। ଗତ ୧୩ ତାରିଖ ଦିନ ସେ ଛୁଟିରେ ଗ୍ରାମକୁ ଆସି ରବିବାର ତାଙ୍କ ପତ୍ନୀ ସୁମିତ୍ରା ଓ ୭ ବର୍ଷର ପୁଅ ଅମ୍ଳାନ ସହିତ ଜଗତପୁର ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଶ୍ୱଶୁର ଘରୁ ସେମାନେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ପୁଅ ଅମ୍ଳାନ ପଡୋଶୀ ମାଉସୀଙ୍କ କାର୍ରେ ପଛରେ ଆସୁଥିବାରୁ ଦୁର୍ଘଟଣାରୁ ବର୍ତି ଯାଇଥିଲେ।
ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ପିକଅପ୍ ଭ୍ୟାନ ଧୂମାବତୀ ଛକ ସ୍ଥିତ ପୁଲିସ ବ୍ୟାରିକେଡ୍କୁ ଧକ୍କାଦେଇ ରାସ୍ତାର ବାମ ପଟକୁ ମାଡିଯିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଡ୍ରାଇଭର ଧରାପଡିଥିଲା। ପିକଅପ୍ ଭ୍ୟାନ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଚୌଦ୍ୱାର ପୁଲିସ ପିକ୍ଅପ୍ ଭ୍ୟାନ ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।