ଅର୍ପନ୍ ଘୋଷଙ୍କ ପରଲୋକ

ଭୁବନେଶ୍ବର ଓଡ଼ିଶାରେ ଫାର୍ମା-ମାର୍କେଟିଂ ଜଗତର ଜଣାଶୁଣା ଏକ୍‌ଜୁକୁଟିଭ୍ ଅର୍ପନ୍ ଘୋଷ ଆଉ ନାହାନ୍ତି। ରବିବାର ସକାଳେ ତାଙ୍କ ଭୁବନେଶ୍ବର ସୁନ୍ଦରପଦାସ୍ଥିତ ବାସଭବନରେ ମାତ୍ର ୫୯ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ସେ ସେପ୍ଟିସିମିଆ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ।

ସତୁରୀ ଦଶକରୁ ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ମା’ ସ୍ବର୍ଗତା ମୀନତି ଚାନ୍ଦଙ୍କ ବଲାଙ୍ଗୀର ଅବସ୍ଥାନ ବେଳେ ଅର୍ପନ୍ ପ୍ରଥମେ ପିଆର୍‌ ହାଇସ୍କୁଲରୁ ମାଟ୍ରିକ୍ ଓ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ବାଣିଜ୍ୟରୁ ସ୍ନାତକ ହୋଇଥିଲେ। ପରେ ସେ ଚରକ ଫାର୍ମାସ୍ୟୁଟିକାଲ୍ସରେ ମାର୍କେଟିଂ ଏକ୍‌ଜୁକୁଟିଭ୍ ଭାବେ ଯୋଗଦେଇଥିଲେ। ଉକ୍ତ କମ୍ପାନିରେ ବହୁବର୍ଷ ସଫଳତାର ସହ କାମ କରିବା ଭିତରେ ଏହି ପେସାରେ ଲୋକପ୍ରିୟତା ଅର୍ଜନ କରିଥିଲେ। ବଲାଙ୍ଗୀରରେ ଅବସ୍ଥାନ ସମୟରେ ପ୍ରଥମେ ଏବିଭିପି ଓ ପରେପରେ ଆର୍‌ଏସ୍‌ଏସ୍‌ ଓ ବିଜେପିର ମୁଖ୍ୟ ସ୍ରୋତ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ। ସଂଘ ପରିବାରର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ରହିଆସିଥିବା ସ୍ବର୍ଗତ ଘୋଷ ଭୁବନେଶ୍ବର ଫରେଷ୍ଟପାର୍କ ସ୍ଥିତ ଶ୍ରୀରାମ ପ୍ରଭାତ ଶାଖାର ବହୁବର୍ଷ କାର୍ଯ୍ୟକର୍ତ୍ତା ଥିଲେ। କିଛିକାଳ ସେ ସ୍ବଦେଶୀ ଜାଗରଣ ମଂଚର ସଂଯୋଜକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଗତ ତିନିମାସ ହେଲା ସେ ନୂଆକରି ପୁରୁଣା ଭୁବନେଶ୍ବର ଡାକବଙ୍ଗଳା ଛକସ୍ଥିତ ମା ଜାଗେଶ୍ବରୀ ଶାଖାର କାର୍ଯ୍ୟବାହ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ଶାଖାର ମୁଖ୍ୟ ଶିକ୍ଷକ କମଳାକାନ୍ତ ବସ୍ତିଆ (ବାଦଲ) ସୂଚନା ଦେଇଛନ୍ତି। ଅର୍ପନ୍ ଘୋଷଙ୍କ ପରଲୋକରେ ରାଜ୍ୟର ସଂଘ ପରିବାର ଓ ଫାର୍ମା ମାର୍କେଟିଂ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ବସ୍ତିଆଙ୍କ ସମେତ ସୁଶାନ୍ତ ନାୟକ, ଲଳିତ ମିଶ୍ର, ଶ୍ୟାମଲ ଚକ୍ରବର୍ତ୍ତୀ, ଲଳିତ ନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର