ବନ୍ଧା ହେଲେ ୨ ଗୁଣିଆ

ଥୋରିଆଛନ୍ଦା ଶିଶୁ ଚେଙ୍କ ଘଟଣା

କାମାକ୍ଷାନଗର/ଭୁବନ: ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଥୋରିଆଛନ୍ଦା ଗାଁରେ ପରମ୍ପରା ନାଁରେ କୋମଳମତି ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣା ପ୍ରଶାସନ କଳକୁ ଚକିତ କରିଛି। ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର ୫ କିଲୋମିଟର ଦୂରରେ ଏମିତି ବର୍ଷ ବର୍ଷ ଧରି ବାଳୁତ ଶିଶୁମାନେ ଚେଙ୍କ ନିର୍ଯାତନାର ଶିକାର ହେଉଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ତ ଦୂର କଥା; ଆଶା କି ଅଙ୍ଗନବାଡ଼ି କର୍ମୀଙ୍କର ବି ଗାଁରେ ପାଦ ପଡ଼ୁ ନ ଥିଲା। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁକୁ ଯାଇ ସମସ୍ୟା ବୁଝିବା ସହିତ ପିଲାଙ୍କ ଚିକିତ୍ସା କରିଛନ୍ତି। ୫୩ନମ୍ବର ଜାତୀୟ ରାଜପଥରୁ ଗ୍ରାମକୁ କୌଣସି ସ୍ଥାୟୀ ରାସ୍ତା ନ ଥିବା, ଗ୍ରାମରେ ପାନୀୟ ଜଳ, ଆଲୋକ ସୁବିଧା ନଥିବା ବେଳେ ଅଙ୍ଗନବାଡି ଓ ଆଶାକର୍ମୀମାନେ ଆଦୌ ଆସୁନଥିବା ସମ୍ପର୍କରେ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ।
ଅନ୍ୟ ପକ୍ଷରେ କୋମଳମତି ଶିଶୁଙ୍କୁ ଚେଙ୍କ ଦେବା ଘଟଣାରେ ଆଜି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ପୁଲିସ ଦୁଇ ଗୁଣିଆ ପୂର୍ଣ୍ଣ ମୁଣ୍ଡା (୩୨) ଓ ରଇଆ ତିରିଆ (୬୫)ଙ୍କୁ ଗିରଫ କରିଛି। ଗତକାଲିଠାରୁ ଉଭୟଙ୍କୁ ଅଟକ ରଖାଯାଇଥିଲା। ଉଭୟ ୨୦ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦେଇଥିଲେ। ସେଥିରେ ୬/୮ ମାସର ଶିଶୁ ଥିଲେ ବୋଲି ଜଣାପଡ଼ିଛି। ଆଜି ଡାକ୍ତରୀ ଟିମ୍‌ ଶିଶୁମାନଙ୍କର ଚିକିତ୍ସା କରିଛନ୍ତି।

ସମ୍ବନ୍ଧିତ ଖବର