ବନ୍ଧାହେବେ ସରକାରୀ ବାବୁ : ଭିଜିଲାନ୍ସକୁ କାଗଜପତ୍ର ହସ୍ତାନ୍ତର କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ ଅଲ୍ଲୀର ଅପରାଧ ଓ ଆର୍ଥିକ ସାମ୍ରାଜ୍ୟ ବୃଦ୍ଧି କରିବାରେ ସହଯୋଗ କରିଥିବା ସରକାରୀ ବାବୁମାନଙ୍କର ଏବେ ମୁଖା ଖୋଲିବ। କେଉଁ ସରକାରୀ ବାବୁ କେତେ ପଣି ନେଇ ଟିଟୋକୁ ଅପରାଧ ଜଗତର ବାଦଶାହା ବନାଇଥିଲେ ତାର ପର୍ଦାଫାସ କରିବ ଭିଜିଲାନ୍‌ସ। ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏମାନଙ୍କ ଦେହରେ ହାତ ମାରୁନଥିଲା। ଟିଟୋ ସହିତ ବାବୁ ଲିଙ୍କ୍‌ ସଂପର୍କକୁ ନେଇ ଏସ୍‌ଟିଏଫ୍‌ କାର୍ଯ୍ୟକଳାପ ସନ୍ଦେହ ପରିସରକୁ ଆସୁଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଆଜି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ଶର୍ମା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଏସ୍‌ଟିଏଫ୍‌ ପ୍ରସ୍ତୁତ କରିଥିବା ସରକାରୀ ବାବୁମାନଙ୍କ ତାଲିକା ଭିଜିଲାନ୍ସକୁ ପ୍ରଦାନ କରିବା ସହିତ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ଏସ୍‌ଟିଏଫ୍‌ ପକ୍ଷରୁ ଏହି ତାଲିକା ସବୁକୁ ଭିଜିଲାନ୍ସକୁ ପ୍ରଦାନ କରାଯାଇଛି। ତାଲିକାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଧାର ସରକାରୀ ଅଧିକାରୀମାନେ ଅଛନ୍ତି। ପୁଲିସ ବିଭାଗଠାରୁ ଆରମ୍ଭ କରି ଜଳ ସମ୍ପଦ, କୃଷି, ପୂର୍ତ ବିଭାଗ, ତହସିଲ, ବ୍ଲକ୍‌ ଓ ରାଜସ୍ୱ ଭଳି ୧୧ଟି ବିଭାଗରେ ଥିଲା ଟିଟୋର ଦବ୍‌ଦବା। ଏହି ବିଭାଗର ଅନେକ ଅଧିକାରୀ ଟିଟୋକୁ ତାର ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିଲେ। ଟିଟୋ ଦ୍ୱାରା ସେମାନେ ବିଭିନ୍ନ ସମୟରେ ଉପକୃତ ମଧ୍ୟ ହୋଇଥିଲେ। ସରକାରୀ ଅଧିକାରୀଙ୍କ ସଂପୃକ୍ତି ନେଇ ଭିଜିଲାନ୍ସ ତଦନ୍ତ ନିର୍ଦେଶ ପରେ ଏବେ ପ୍ରଶାସନ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। କାରଣ ଟିଟୋକୁ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ବାଲିଘାଟ ନିଲାମ, ମୋରମ ଚାଲାଣ, ଠିକାଦାରୀ, ଜମିଜମା କାରବାର, ଗୋ-ଚାଲାଣରେ ହାତଗଣତି କିଛି ଅଫିସର ଓ କର୍ମଚାରୀ ହିଁ ସହଯୋଗ କରି ଆସୁଥିଲେ। ଏହାର ସୁଯୋଗ ନେଇ ଟିଟୋ କୋଟିପତି ବନି ଯାଇଥିଲା। ସବୁଠି ଥିଲା ଟିଟୋର ଜାଗିର। ଆଉ ତା’ବଦଳରେ ବାବୁମାନେ ଟିଟୋଠାରୁ ମାସିକିଆ ପାଉଣା ନେଉଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା।

ଟିଟୋ ସହ ସମ୍ପର୍କରେ ଥିବା ଅଧିକାରୀ ଛାନିଆ
ଟାର୍ଗେଟରେ ପୁଲିସ, ରାଜସ୍ୱ, କୃଷି, ଜଳ ସମ୍ପଦ
ଭଳି ୧୧ ବିଭାଗର ଅଧିକାରୀ
ଆୟ ବହିର୍ଭୂତ ସମ୍ପତ୍ତିର ବି ତଦନ୍ତ ହେବ

ଆଜି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭିଜିଲାନ୍ସ ଦାଗୀ ଅଫିସରମାନଙ୍କ ଅପରାଧ ସଂପର୍କର ତଦନ୍ତ କରିବା ସହିତ ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଯାଞ୍ଚ କରିବ। ଆବଶ୍ୟକ ହେଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରାଯାଇ ବାବୁଙ୍କୁ ବନ୍ଧାଯିବ। ଏସ୍‌ଟିଏଫ୍‌ ପକ୍ଷରୁ ଟିଟୋ ସହ ସମ୍ପର୍କରେ ଥିବା ଅଧିକାରୀଙ୍କ ତାଲିକା ଭିଜିଲାନ୍ସକୁ ପ୍ରଦାନ କରାଯିବା ପରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ଟିଟୋର ସରକାରୀ ବନ୍ଧୁମାନଙ୍କୁ ଗିରଫ କରି ଭବିଷ୍ୟତରେ ତାର ସାମ୍ରାଜ୍ୟ ଉପରେ ରୋକ୍‌ ଲଗାଇବାକୁ ଭିଜିଲାନ୍ସ ନିର୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଟିଟୋକୁ ଏସ୍‌ଟିଏଫ୍‌ ଗିରଫ କରିବା ପରେ କେବଳ ତାର ଅପରାଧ ସାମ୍ରାଜ୍ୟରେ ସହଯୋଗ କରିଥିବା ସହଯୋଗୀମାନଙ୍କୁ ଗିରଫ କରିଥିଲା। ଅପରାଧୀମାନଙ୍କୁ ଖୋଜିବାକୁ ଯାଇ ଏସ୍‌ଟିଏଫ୍‌ ତଦନ୍ତକୁ ଧୀରେ ଧୀରେ ବାଟବଣା କରି ଦେଇଥିଲା। ଫଳରେ ଅଫିସରମାନେ ଆଶ୍ୱସ୍ତ ହୋଇଯାଇଥିଲେ। ଟିଟୋକୁ ଦରଦ ଦେଖାଇ ତା ସହ ସମ୍ପର୍କରେ ଥିବା ସରକାରୀବାବୁମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କୁନ୍ଥକୁନ୍ଥ ହୋଇଥିଲା ଏସ୍‌ଟିଏଫ୍‌।

ସମ୍ବନ୍ଧିତ ଖବର