ଦଶପଲ୍ଲା : ଦୁର୍ଦ୍ଦିନରେ ବାଉଁଶ କାରିଗର, ବୁଡ଼ିବାକୁ ବସିଛି କୁଳବେଉସା

ଦଶପଲ୍ଲା : ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା। ହେଲେ ବାଲିଯାତ୍ରାକୁ ଯାଇ ନିଜର ଗୁଜୁରାଣ ମେଣ୍ଟାଇବା ଲକ୍ଷ୍ୟରେ ବାଉଁଶପାତିଆରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ପୂରା ଗାଁ। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ବହୁଳ ପୋଖରୀଗୋଛା ପଞ୍ଚାୟତ କଇଁଆଡ଼ିହ ଗ୍ରାମ ଡମସାହିର ପୂରା ପରିବାର ଏକ ହୋଇ ପଡ଼ିଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଆଜିର ଆଧୁନିକ ସମାଜରେ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାରକୁ ନେଇ ବାଉଁଶ ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଏହି କାରିଗରମାନଙ୍କର କୁଳବେଉସା ଦିନକୁ ଦିନ ବୁଡ଼ିବାକୁ ବସିଥିବା ବେଳେ, ବହୁ ଝଡ଼ଝଞ୍ଜା ସହି ଏହି କାରିଗରମାନେ ନିଜ ନିଜର ଜୀବିକାକୁ ହରାଇ ନାହାନ୍ତି। ଏହାର ଚାହିଦାକୁ କିଭଳି ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ସେ ନେଇ କାରିଗରମାନେ ଦିନରାତି ଲାଗି ପଡ଼ିଛନ୍ତି। ପିଲା ହେଉ କି ବୁଢ଼ା, ସମସ୍ତଙ୍କ ହାତରେ ବାଉଁଶପାତି। କିଏ କୁଲା ତିଆରି କରୁଛନ୍ତି ତ ପୁଣି କିଏ ବାଉଁଶିଆ, ଡାଲା ଓ ଆଇଁଶ ପାତିଆ ପ୍ରଭୃତି ତିଆରି କରୁଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ରଙ୍ଗରେ ସଜାଉଛନ୍ତି।

ଦୀର୍ଘ ୧୫ ବର୍ଷ ଧରି ଏହି ଗ୍ରାମର କାରିଗରମାନେ ବାଲିଯାତ୍ରାକୁ ଯାଇ ବ୍ୟବସାୟ କରି ଆସୁଥିବା ପ୍ରକାଶ କରିଛନ୍ତି। ମାତ୍ର ବଡ଼କଥା ହେଉଛି ବାଲିଯାତ୍ରା ପଡ଼ିଆରେ ଜାଗା ଖଣ୍ଡେ ନେବା ପାଇଁ କାରିଗରମାନଙ୍କୁ ବହୁ କଷ୍ଟ ସହିବାକୁ ପଡ଼ୁଥିବା ବେଳେ କୌଣସି ସରକାରୀ ସୁବିଧା ମିଳି ପାରୁନଥିବା ସେମାନେ ପ୍ରକାଶ କରିଛନ୍ତି। ପଡ଼ିଆରେ ଜାଗା ଖଣ୍ଡେ ପାଇଁ ଆକାଶ ଛୁଆଁ ଦର ଯୋଗୁ ଜାଗା ପାଇବା ଏମାନଙ୍କ ପକ୍ଷରେ କଷ୍ଟକର ହୋଇ ପଡ଼ୁଥିବା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହା ହେଉଛି ତାଙ୍କର ମୁଖ୍ୟ ବେଉସା। ମାତ୍ର ଗାଁ ଗହଳିରେ ଏହାର ଚାହିଦା ଦିନକୁ ଦିନ କମି ଯାଉଥିବା ବେଳେ ଏହାକୁ ବିକ୍ରୟ କରି ପରିବାର ପୋଷିବା ସମ୍ଭବ ହେଉନାହିଁ। ବର୍ଷର ୮ ମାସ ଏହା ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ୪ ମାସ ଚାଷବାସ କରିବାକୁ ପଡ଼ିଥାଏ। ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ।

ବିଭିନ୍ନ ବ୍ୟାଙ୍କ ଏବଂ ବେସରକାରୀ ସଂସ୍ଥାରୁ ଋଣ କରି ଏହି ବ୍ୟବସାୟକୁ ବଂଚାଇ ରଖିଥିବା ବେଳେ ବର୍ଷକୁ ଥରେ ବାଲିଯାତ୍ରା ହେଉ କି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଛୋଟ ଛୋଟ ଜାନିଯାତ୍ରାକୁ ଯାଇ ବ୍ୟବସାୟ କରିବାକୁ ପଡ଼ୁଛି। ବାଲିଯାତ୍ରାକୁ ଦୀର୍ଘ ୧୫ ବର୍ଷ ଧରି ଯିବା ଦ୍ବାରା ବିଭିନ୍ନ ଦୋକାନିଙ୍କ ସହିତ ଚିହ୍ନା ହୋଇଛି। ସେହି ଦୋକାନିକୁ ଅଳ୍ପକିଛି ଅର୍ଥ ଦେଇ ସେମାନଙ୍କ ଦୋକାନ ନିକଟରେ ଏସବୁ ସାମଗ୍ରୀକୁ ରଖି ବ୍ୟବସାୟ କରିବାକୁ ପଡ଼ୁଛି। କୁଲା, ଡାଲିଆ ପ୍ରଭୃତିକୁ ଅତି ବେଶୀରେ ୫୦ କିମ୍ବା ୬୦ ଟଙ୍କାରେ ବିକ୍ରି କରିବାକୁ ପଡ଼ିଥାଏ। ଗାଁ’ର କୁମାର ବେହେରା, ସୋମନାଥ ବେହେରା, ସୁମୁଦୁନୀ ବେୱା ଏବଂ କ୍ଷେତ୍ରବାସୀ ମାଝି ପ୍ରଭୃତି କଟକର ବାଲିଯାତ୍ରାକୁ ଯାଇ ବ୍ୟବସାୟ କରିଥାନ୍ତି। ବିଭିନ୍ନ ସାମଗ୍ରୀରୁ ପ୍ରାୟ ୫/୬ ହଜାର ନେଇ ଯାଉଥିବା ବେଳେ ବ୍ୟବସାୟ ପରେ ବଳକା ସାମଗ୍ରୀକୁ ଶାଗମାଛ ଦରରେ ସେଠାରେ ହୋଲସେଲ୍ ଭାବେ ବ୍ୟବସାୟୀମାନଙ୍କୁ ଦେଇ ଦେବାକୁ ପଡ଼ିଥାଏ। ମାତ୍ର ଏହି ବ୍ୟବସାୟକୁ ନେଇ ପରିବାର ପ୍ରତିପୋଷଣ କରି ହେଉନଥିବା ବେଳେ ଗ୍ରାମର କେତେକ ପରିବାର ମଧ୍ୟ ଗାଁ ଛାଡ଼ି ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି। ଏଭଳି ଦୁର୍ଦ୍ଦିନ ମଧ୍ୟରେ ଗ୍ରାମର ବାଉଁଶ କାରିଗରମାନେ ଜୀବିକା ନିର୍ବାହ କରି ଆସୁଥିବା ବେଳେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଇପାରିଲେ କାରିଗରମାନେ ସ୍ବାବଲମ୍ବୀ ହୋଇପାରନ୍ତେ।

ସମ୍ବନ୍ଧିତ ଖବର