ଲାଇସେନ୍ସ କରାଇଦେବା କହି ଟଙ୍କା ନେଉଥିବାବେଳେ ଏଆରଟିଓଙ୍କ ଡ୍ରାଇଭରକୁ ଧରିଲା ପୁଲିସ

ବଡ଼ବିଲ: ଲୋକଙ୍କଠାରୁ ଟଙ୍କା ନେଇ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଫିଟ୍ନେସ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ବଡ଼ବିଲ ପୁଲିସ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ(ଏଆରଟିଓ)ଙ୍କ ବ୍ୟକ୍ତିଗତ ଗାଡି ଚାଳକ ଜଗବନ୍ଧୁ ପାତ୍ରଙ୍କୁ ଗିରଫ କରିଛି | ଏଆରଟିଓ କାଯ୍ୟାଳୟରେ ସେ ଦଲାଲି କରୁଥିବା ଅଭିଯୋଗରେ ଗିରଫ କରିଛି ବଡବିଲ ପୁଲିସ । ତାଙ୍କଠାରୁ ପୁଲିସ ୨ଟି ଲାଇସେନ୍ସର କାଗଜ ପତ୍ର ଓ ଗୋଟିଏ ମୋବାଇଲ୍ ଜବତ କରିଛି ।

ଗତ ସେପ୍ଟେମ୍ବର ମାସରେ ଅଭିଯୋଗକ୍ରମେ ବଡବିଲ୍ ପୁଲିସ ଦୁଇ ଜଣ ଦଲାଲଙ୍କୁ ଏଆରଟିଓ କାର୍ଯ୍ୟାଳୟରୁ ଗିରଫ କରିଥିଲା । ସେପ୍ଟେମ୍ବର ୨୬ ତାରିଖରେ ବଡ଼ବିଲ ଥାନାରେ ଜଗବନ୍ଧୁଙ୍କ ନାମରେ ଅଭିଯୋଗ ହୋଇଥିଲା | ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଜଗବନ୍ଧୁଙ୍କୁ ବଡ଼ବିଲ ସ୍ଥିତ କାର୍ଯ୍ୟାଳୟରୁ ଉଠାଇ ଆଣି ପଚରାଉଚୁରା କରୁଥିଲା |

ତେବେ ଏହାପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଡିସେମ୍ବର ୧ ତାରିଖରୁ ପୁଣି ଲାଗୁ ହେବାକୁ ଯାଉଛି ନୂଆ ଟ୍ରାଫିକ୍ ନିୟମ । ଏଥିପାଇଁ ବିଭିନ୍ନ ଲାଇସେନ୍ସ ବାହାରକରିବାକୁ ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଭିଡ ଲାଗି ରହୁଛି । ଏହାର ସୁଯୋଗ ନେଇ ଏବେ ଦଲାଲ ସକ୍ରିୟ ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର