୩ ଦଫା ଦାବି ନେଇ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଧାରଣା

ଭୁବନେଶ୍ବର : ୩ ଦଫା ଦାବି ନେଇ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହାସଂଘର ହଜାରରୁ ଊର୍ଧ୍ବ ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ମୃଦଙ୍ଗ, ସିଂଘ ବାଦ୍ୟ, ଝାଞ୍ଜ, କର୍ତ୍ତାଳ ବାଦ୍ୟ ବଜାଇ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ସେଠାରେ ଧାରଣାରେ ବସି ରହି ଦାବି ପୂରଣ ପାଇଁ ନାରାବାଜି କରିଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସର୍ବଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ଶିକ୍ଷକ ମାନ୍ୟତା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ଚାକିରିର ସର୍ତ୍ତାବଳୀ ଲାଗୁ କରିବା ଏବଂ ଓପେପା ଚିଠି ଅନୁଯାୟୀ ୨୧ଡିସେମ୍ବର ୨୦୧୬ଠାରୁ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍ଟର୍‌ମାନଙ୍କ ନିମନ୍ତେ ଲାଗୁ କରାଯାଇଥିବା ମାସିକ ପାରିଶ୍ରମିକ ପୁନଃ ଲାଗୁ କରି ୧୨ ମାସ ବେତନ ପ୍ରଦାନ କରିବା ପାଇଁ ସଂଘ ଦୃଢ଼ ଦାବି କରିଛି। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସଂଘ ଚେନାବନୀ ଦେଇଛି। ଆଜିର ଏହି ଶୋଭାଯାତ୍ରାରେ ଆବାହକ ପ୍ରଦୀପ କୁମାର ଦାସ, ଚନ୍ଦ୍ରଶେଖର ପାଢ଼ୀ, ଦିବ୍ୟ ସିଂ ସ୍ବାଇଁ ପ୍ରମୁଖ ନେତୃତ୍ବ ନେଇଥିଲେ।

ଚତୁର୍ଥ ଦିନରେ ବ୍ଲକସ୍ତରୀୟ ସର୍ବଶିକ୍ଷା ଅଭିଯାନ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ବର : ୩ ଦଫା ଦାବି ନେଇ ବ୍ଲକସ୍ତରୀୟ ସର୍ବଶିକ୍ଷା ଅଭିଯାନ କର୍ମଚାରୀ ସଂଘର ଲୋୟର ପିଏମ୍‌ଜିରେ ଧାରଣା ଆଜି ୪ର୍ଥ ଦିନରେ ପହଞ୍ଚିଛି। ସର୍ବଶିକ୍ଷା ଅଧୀନରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ଲାନିଂ କୋର୍ଡିନେଟର୍‌, ବ୍ଲକ ରିସୋର୍ସ ଟିଚର, ଆକାଉଣ୍ଟାଣ୍ଟମାନଙ୍କୁ ଚାକିରିରେ ନିୟମିତ କରିବା, ସରକାରୀ କର୍ମଚାରୀ ଭଳି ସମାନ ସୁବିଧା ସୁଯୋଗ, ଠିକା ନିଯୁକ୍ତି ଉଚ୍ଛେଦ ଆଦି ଦାବି ନେଇ ସଂଘ ଦୃଢ଼ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଦାବି ନେଇ ବିଭିନ୍ନ ସମୟରେ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ବାରମ୍ବାର ଦାବି ସତ୍ତ୍ବେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। କର୍ମଚାରୀମାନେ ଦୀର୍ଘ ୬ବର୍ଷରୁ ଊର୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ଆଶିଷ ରଞ୍ଜନ ବିଶ୍ବାଳ, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର