ବିଜୁ ଯୁବା ବାହିନୀର ମୁଖ୍ୟ ହେଲେ ଅରୁପ ପଟ୍ଟନାୟକ

ଭୁବନେଶ୍ୱର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ପୁୁଲିସ କମିଶନର ଅରୁପ ପଟ୍ଟନାୟକଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେ ନବଗଠିତ ବିଜୁ ଯୁବା ବାହିନୀକୁ ଗଠନ ଦାୟିତ୍ୱ ସମ୍ଭାଳିବେ । ଗତ ମାସରେ ରାଜ୍ୟ ସରକାର ବିଜୁ ଯୁବା ବାହିନୀ ଗଢିବା ବିଷୟ ଘୋଷଣା କରିଥିଲେ ।

ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ରାଜ୍ୟ ସରକାର ୩ ବର୍ଷରେ ୪୫୦ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ବୃଦ୍ଧି କରାଯିବ। ଏହାସହିତ ସର୍ବସାଧାରଣଙ୍କ ହିତ ସାଧନ ନିମନ୍ତେ ଆବଶ୍ୟକ ନାଗରିକ ପ୍ରକ୍ରିୟା, ଗୋଷ୍ଠୀ ସେବା, ସ୍ୱେଚ୍ଛାସେବୀପଣ, ନେତୃତ୍ୱ ଇତ୍ୟାଦିର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପଞ୍ଚାୟତ ଓ ସହରାଞ୍ଚଳରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ସମାଜସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରାଯିବ। ସେମାନଙ୍କ ମଧ୍ୟରେ କ୍ରୀଡ଼ା, କଳା ଆଦି ପ୍ରତିଭାର ବିକାଶ କରାଯିବ। ଏହିସବୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କିଛି ଦିନ ତଳେ କହିଥିଲେ ।

ସମ୍ବନ୍ଧିତ ଖବର