ମହାନଦୀକୁ ନୂଆ ବିପଦ : ପଶୁଛି ଲରା ପ୍ଲାଣ୍ଟ ଆସ୍‌ପଣ୍ଡ ପାଣି

କନକତୋରା : ଓଡ଼ିଶା ସୀମାନ୍ତ ଜିରୋ ପଏଣ୍ଟ ଭାବେ ପରିଚିତ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ଲରାଠାରେ ନିର୍ମାଣାଧୀନ ବୃହତ୍‌ ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଆସପଣ୍ଡ ସ୍ଥାନୀୟ ଜଳଉତ୍ସ ସହ ମହାନଦୀ ଜଳକୁ ବି ପ୍ରଦୂଷିତ କରିବାର ଆଶଙ୍କା ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ଦିଗରେ ସରକାର ମୂଳରୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ମେଗା ପ୍ଲାଣ୍ଟ ପାଇଁ ୩ଟି ଆସପଣ୍ଡ ତିଆରି ଚାଲିଛି। ଦୁଇଟି ସଂପୂର୍ଣ୍ଣ ହୋଇସାରିଥିବା ବେଳେ ଆଉ ଗୋଟିଏ ନିର୍ମାଣାଧୀନ ରହିଛି। ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଏହି ଆସପଣ୍ଡ ନିର୍ମାଣ କାମ ଚାଲିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଚାରପାଲି ପଞ୍ଚାୟତ ସୀମାରୁ ପ୍ରାୟ ୨୫୦ ମିଟର ଦୂରରେ ଏହି ଆସ୍‌ପଣ୍ଡ ରହିଛି। ଆସପଣ୍ଡକୁ ଲାଗି ରହିଛି ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାକୁ ଅଲଗା କରୁଥିବା ସୁଖାନରା ନାମକ ଗୋଟିଏ ଛୋଟ ନାଲା। ଉକ୍ତ ନାଲାଟି ଅମ୍ବାପାଲି ପାଖରେ ବଡ଼କେଲୋ ନଦୀରେ ମିଶିଛି। ଏହି ନଦୀ ମହାନଦୀରେ ମିଶିଛି। କିଛି ଦିନ ତଳେ ପ୍ଲାଣ୍ଟର ଟ୍ରାଏଲ ରନ୍‌ ସମୟରେ ୧ ନଂ ଆସପଣ୍ଡରେ ପାଉଁଶ ପାଣି ଛଡ଼ା ଯାଇଥିଲା। ଏହାପରେ ଆସ୍‌ପଣ୍ଡରୁ ପାଉଁଶ ପାଣି ଲିକ୍‌ ହୋଇ ସୁଖାନରା ନାଲା ଦ୍ୱାରା କଲୋ ନଦୀରେ ମିଶୁଛି। ଯା’ଦ୍ୱାରା ପାଣି ପ୍ରଦୂଷିତ ହେଉଛି। ନଦୀର ମତ୍ସ୍ୟ ସଂପଦ ପ୍ରତି ମଧ୍ୟ ବିପଦ ରହିଛି। ଏହି ପାଣି ହୀରାକୁଦ ଜଳଭଣ୍ଡାରରେ ମିଶିବ ଏବଂ ମହାନଦୀ ପାଣି ଆହୁରି ପ୍ରଦୂଷିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ସମସ୍ୟା ଅନ୍ତଃରାଜ୍ୟ ସମସ୍ୟା ହୋଇଥିବା ବେଳେ ରାଜ୍ୟ ସରକାର ଏବେଠାରୁ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏ ସଂପର୍କରେ ଲରାସ୍ଥିତ ଏନ୍‌ଟିପିସି ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ମତାମତ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର