ଅର୍ଥତତ୍ତ୍ବ ଠକେଇ: ବାନ୍ଧିଲା ସିବିଆଇ, ଜେଲ୍‌ ଗଲେ ଆଶୀର୍ବାଦ

ହୋଟେଲ ସୋଲାନ୍‌-ଇନ୍‌ ମାଲିକ କମଳାକାନ୍ତ ବି ଗିରଫ

ଦୁଇବର୍ଷ ତଳେ ଆଜିର ଦିନରେ ପ୍ରଭାତ ବିଶ୍ବାଳଙ୍କୁ ବାନ୍ଧିଥିଲେ
୧୨ ବର୍ଷ ପରେ ଗିରଫର ରହସ୍ୟ କ’ଣ ଜାଣିଥି‌‌ବେ: ଆଶୀର୍ବାଦ
ବାପାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି: ସଂଜୟ

ଭୁବନେଶ୍ବର : ଆଜିର ଦିନରେ ତତ୍କାଳୀନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବାନ୍ଧିଥିଲା ସିବିଆଇ। ଠିକ୍ ଦୁଇ ବର୍ଷପରେ ସିବିଆଇ ଆଜି କଡ଼ ଲେଉଟାଇଛି। ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ ହୋଟେଲ ସୋଲାନ୍‌-ଇନ୍‌ ମାଲିକ କମଳାକାନ୍ତ ଦାସଙ୍କୁ ସିବିଆଇ ଗିରଫ କରିଛି। ଦୁ‌ହେଁ ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାର ଆର୍ଥିକ କାରବାରରେ ସଂପୃକ୍ତ‌; କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ। ଏନେଇ ସେମାନଙ୍କ ନାଁରେ ସିବିଆଇ ଗତ ମାସ‌‌ରେ ଅତିରିକ୍ତ ଅଭିଯୋଗ ଫର୍ଦ ଦାଖଲ କରିଥିଲା। କୋର୍ଟ ପକ୍ଷରୁ ସେମାନଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହେବା ପରେ ଆଜି ସକାଳେ ଆଶୀର୍ବାଦଙ୍କୁ କଟକରୁ ଏବଂ କମଳାକାନ୍ତଙ୍କୁ ପୁରୁଣା ଭୁବନେଶ୍ବରରୁ ସିବିଆଇ ଅଧିକାରୀମାନେ ଗିରଫ କରିଥିଲେ।

ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ୍‌ ନାମଞ୍ଜୁର କରିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ)କୁ ପଠାଇ ଦିଆଯାଇଛି। ଆସନ୍ତା ମାସ ୧ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୧ ମସିହାରେ ଓସିଏର ସମ୍ପାଦକ ଥିବା ବେଳେ ଆଶୀର୍ବାଦ ଓପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ଅର୍ଥତତ୍ତ୍ବଠାରୁ ୧କୋଟି ଟଙ୍କା ନେଇଥିଲେ। ଆଶୀର୍ବାଦଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିଲା। ଏହି ଏକ କୋଟି ଟଙ୍କାରେ ଅର୍ଥତତ୍ତ୍ବର ପ୍ରଚାରପ୍ରସାର କରିଥିଲା ଓସିଏ। ତେବେ ସେ ଏହି ଏକ କୋଟି ଟଙ୍କାର ହିସାବ ସିବିଆଇକୁ ଦେଇ ପାରି ନଥିଲେ। ଏହି କାରଣରୁ ସିବିଆଇ ତାଙ୍କୁ ୫ଥର ଡାକି ଜେରା କରିଥିଲା। ତଥାପି ସେ ସିବିଆଇକୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ସେହିପରି ସୋଲାନ୍‌-ଇନ୍‌ ମାଲିକ କମଳାକାନ୍ତ ମଧ୍ୟ ଅର୍ଥତତ୍ତ୍ବର ସୁନ୍ଦରପଦା ଅଞ୍ଚଳରେ ଥିବା କେତେକ ଫ୍ଲାଟ ବିକ୍ରି କରିଥିଲେ। ବିକ୍ରିଲବ୍ଧ ଟଙ୍କାକୁ ସେ ଅର୍ଥତତ୍ତ୍ବକୁ ଫେରାଇ ନ ଥିଲେ। ଏଥିପାଇଁ ତାଙ୍କୁ ମଧ୍ୟ ବିଭିନ୍ନ ସମୟରେ ସିବିଆଇ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲେ ସିବିଆଇ ଅଧିକାରୀ। ସେ ମଧ୍ୟ ସିବିଆଇକୁ ସନ୍ତୁଷ୍ଟ କରିବା ଭଳି ଉତ୍ତର ଦେଇ ପାରି ନଥିଲେ।

ଶେଷରେ ଗତ ମାସରେ ସିବିଆଇ ଆଶୀର୍ବାଦ ଓ କମଳାକାନ୍ତଙ୍କ ନାଁରେ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ଦାଖଲ କରିଥିଲା। ଏହାପରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଗତ ୧୭ ତାରିଖରେ ଦୁହିଁଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ। ଏହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରିବାକୁ କୋର୍ଟ ସିବିଆଇକୁ ନି‌ର୍ଦେଶ ଦେଇଥିଲେ। ଆଜି ସକାଳୁ ଦୁଇଟି ଟିମ୍‌ କଟକ ଓ ପୁରୁଣା‌ ଭୁବନେଶ୍ବରରେ ଚଢ଼ଉ କରି ଆଶୀର୍ବାଦ ଓ କମଳାକାନ୍ତଙ୍କୁ ଗିରଫ କରିଥିଲେ।

ଆଶୀର୍ବାଦଙ୍କ ଗିରଫଦାରୀ ସଂପର୍କରେ ତାଙ୍କ ପୁଅ ସଂଜୟ ବେହେରା‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ଜାଣିଶୁଣି ବାପାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି। ଆସନ୍ତାକାଲି ଓସିଏ ନିର୍ବାଚନର ନାମାଙ୍କନପତ୍ର ଦାଖଲ ତାରିଖ ରହିଛି। ବିରୋଧୀମାନେ ଜାଣିଛନ୍ତି ଯେ ସେମାନେ ହାରିଯିବେ। ତେଣୁ ଜାଣିଶୁଣି ହୀନ ଚକ୍ରାନ୍ତ କରି ସିବିଆଇ ମାଧ୍ୟମରେ ଏଭଳି ଗିରଫଦାରୀ କରାଯାଇଛି।

ସେହିପରି ଆର୍ଶୀବାଦ ଗଣମାଧ୍ୟମକୁ କହିଛନ୍ତି, ମୋତେ ଗିରଫ କରାଯିବାର ରହସ୍ୟ କ’ଣ ଆପଣମାନେ ଭଲ ଭାବେ ଜାଣିଛନ୍ତି। ୧୨ବର୍ଷ ପରେ ଗିରଫ କରାଯିବାର ଅର୍ଥ କ’ଣ? କାହିଁକି ଗିରଫ କରାଗଲା? ଏହା ପଛରେ ଷଡ଼ଯନ୍ତ୍ରକାରୀ କିଏ? ତାକୁ ଆପଣମାନେ ବାହାର କରନ୍ତୁ।

ଆଶୀର୍ବାଦ ଓ କମଳାକାନ୍ତଙ୍କ ଗିରଫ ସମ୍ପର୍କରେ ସିବିଆଇ ଏସ୍‌ପି ଜେ.ଏନ୍‌ ରାଣା କହିଛନ୍ତି, ସିବିଆଇ ଆର୍ଶୀବାଦ, କମଳାକାନ୍ତ ଓ ସମ୍ବିତ ଖୁଣ୍ଟିଆ ପ୍ରମୁଖ ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସମ୍ବିତ ଖୁଣ୍ଟିଆ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ଯାଇଥିଲେ। ଆଜି ଆଶୀର୍ବାଦ ଓ କମଳାକାନ୍ତଙ୍କୁ କୋର୍ଟର ୱାରେଣ୍ଟ ବଳରେ ଗିରଫ କରାଯାଇଛି।

ଆଜି ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦ ଓ କମଳାକାନ୍ତଙ୍କୁ ଗିରଫ କରିବା ପରେ ପୁଣିଥରେ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ମନରେ ଛନକା ପଶିଛି। ବିଶେଷକରି ଅର୍ଥତତ୍ତ୍ବ ଲିଙ୍କରେ ଥିବା ନେତାମାନଙ୍କର ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର