ପ୍ରସିଦ୍ଧ ସାହିତ୍ୟ କୃତୀଗୁଡ଼ିକର ବ୍ରେଲି ସଂସ୍କରଣ ହେବ: ମନ୍ତ୍ରୀ

ବ୍ରହ୍ମପୁରରେ ଅତ୍ୟାଧୁନିକ ବ୍ରେଲି ମେସିନ୍‌ ଉଦ୍‌ଘାଟିତ

ଭୁବନେଶ୍ବର : ବ୍ରହ୍ମପୁରରେ କମ୍ପ୍ୟୁଟରୀକୃତ ଅତ୍ୟାଧୁନିକ ବ୍ରେଲି ମେସିନ୍‌ ଗତ ୩ ତାରିଖରେ ଉଦ୍‌ଘାଟିତ ‌‌ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଗତକାଲି ଲୋକସେବା ଭବନରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଲେ, ରାଜ୍ୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବ୍ରେଲି ପାଠ୍ୟପୁସ୍ତକ ନୂଆ ମେସିନ୍‌ରେ ଅଧିକ ପରିମାଣରେ ଛପାଯାଇପାରିବ। ଏବେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶ୍ରେଣୀଗୁଡ଼ିକରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ପାଠ୍ୟପୁସ୍ତକ ସହ ଓଡ଼ିଶା ସାହିତ୍ୟର ବିଶିଷ୍ଟ କୃତୀଗୁଡ଼ିକର ମଧ୍ୟ ବ୍ରେଲି ସଂସ୍କରଣ ମିଳିବ।

ଶ୍ରୀ ପଣ୍ଡା କହିଥିଲେ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବ୍ରେଲି ମେସିନ୍‌ ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ କରିଛି। ଏହି ମେସିନ୍ କମ୍ପ୍ୟୁଟର ସହାୟତାରେ ଆଲିମିନିୟମ୍‌ ମାଷ୍ଟର୍‌ ପ୍ଲେଟ୍‌ରେ ୧୬ଟି ଅକ୍ଷର ଛାପି ପାରିବା ସହ ଘଣ୍ଟା ପ୍ରତି ୧୦ ହଜାର ପୃଷ୍ଠାର କାଗଜ ମୁଦ୍ରଣ ପ୍ରଦର୍ଶନ କରିପାରିବ। ଫଳରେ ରାଜ୍ୟରେ ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ପାଠ୍ୟପୁସ୍ତକ ଯୋଗାଣକୁ ବ୍ୟାପକ କରାଯାଇପାରିବ। ରାଜ୍ୟରେ ୨୦ ହଜାରରୁ ଅଧିକ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ବ୍ରେଲି ପୁସ୍ତକ ଦ୍ବାରା ଉପକୃତ ହେବେ। ଚଳିତ ବର୍ଷ ଏହି ପ୍ରେସ୍‌ରେ ଓଡ଼ିଆ କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରାଯାଇପାରିଛି। ବ୍ରହ୍ମପୁର ବ୍ରେଲି ପ୍ରେସ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ମାନବ ସମ୍ବଳ ନିୟୋଜନ ଦିଗରେ ଉଦ୍ୟମ କରାଯାଉଛି। ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ, ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ‌ଯେଉଁ ହିତାଧିକାରୀଙ୍କ ପରଲୋକ ହୋଇଯାଇଛି, ତୁରନ୍ତ ସେମାନଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ସାର୍ବଜନୀନ ଭିନ୍ନକ୍ଷମ ପରିଚୟ ପ୍ରମାଣପତ୍ର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଓ ଆଧାର ସିଡିଙ୍ଗ୍‌କୁ ଗୁରୁତ୍ବ ଦିଆଯାଇଛି ‌ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର