ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିଛନ୍ତି। ଆଜି ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଅବହେଳା କରୁଥିବାରୁ ସେ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି। ଗତ କିଛି ଦିନ ହେଲା ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ଶ୍ରୀ ପାଣିଗ୍ରାହୀ ଖୋଲା ଅସନ୍ତୋଷ ଜାହିର କରି ଆସୁଥିଲେ। ତେବେ ସେ କେଉଁ ଦଳକୁ ଯିବେ ଓ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କ’ଣ ରହିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ୁଥିଲା ବେଳେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିଲେ। ତେବେ ୨୦୦୪ ମସିହାରୁ ଲଗାତର ତିନିଟି ନିର୍ବାଚନରେ ବିଜେପୁର ଆସନ କଂଗ୍ରେସ ହାତକୁ ଗଲା। କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନି ଥର କଂଗ୍ରେସ ଟିକେଟ୍‌ରେ ସେଠାରୁ ଜିତିଥିଲେ। ତେବେ ଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳରେ ଜଣେ ଟାଣୁଆ ବିଜେଡି ନେତା ଭାବେ ଗଣାଯାଉଥିଲେ।

ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ଶ୍ରୀ ପାଣିଗ୍ରାହୀ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିଲେ। କିନ୍ତୁ ସ୍ବର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କଲା। ଫଳରେ ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହେଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଗତ ସାଧାରଣ ନିର୍ବାଚନରେ ବିଜେପି ଶ୍ରୀ ପାଣିଗ୍ରାହୀଙ୍କୁ ଟିକେଟ୍‌ ନ ଦେଇ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା। ଉପନିର୍ବାଚନରେ ବି ଶ୍ରୀ ଗଡ଼ତିଆଙ୍କୁ ଦଳ ପୁଣି ପ୍ରାର୍ଥୀ କଲା। ଏପରିକି ବିଜେପି ପକ୍ଷରୁ ବିଜେପୁର ପାଇଁ ପ୍ରସ୍ତୁତ ହେଉଥିବା ରଣନୀତିରେ ଶ୍ରୀ ପାଣିଗ୍ରାହୀଙ୍କୁ କୌଣସି ଗୁରୁତ୍ବ ଦିଆଗଲା ନାହିଁ କି ପ୍ରଚାର କାର୍ଯ୍ୟରେ ତାଙ୍କୁ ସାମିଲ କରାଗଲା ନାହିଁ। ଏହା ପର ଠାରୁ ଶ୍ରୀ ପାଣିଗ୍ରାହୀ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋ‌ଷ ବି ଜାହିର କରିଥିଲେ। ଦଳ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଅଣଦେଖା କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ତାହା ସତ୍ତ୍ବେ ବିଜେପି ନେତୃତ୍ବ ତାଙ୍କ ସହ ଆଲୋଚନା ନ କରିବାରୁ ଆଜି ଶ୍ରୀ ପାଣିଗ୍ରାହୀ ଇସ୍ତଫା ଦେଇଥିବା କୁହାଯାଉଛି।

ଭବିଷ୍ୟତ ଯୋଜନା ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ଦଳ ଛାଡ଼ି ନ ଥିଲି। କିନ୍ତୁ ଦଳ ଛାଡ଼ିବା ପାଇଁ ବିଜେପି ସେମିତି ପରିସ୍ଥିତି ସୃଷ୍ଟି କଲା। ବିଜେପିର ସ୍ଥିତି ମଜଭୁତ କରିବା ପାଇଁ ଆମେ ବହୁତ ଉଦ୍ୟମ କରିଥିଲୁ। କିନ୍ତୁ ଗତ ସାଧାରଣ ନିର୍ବାଚନ ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ଆମକୁ ସାମିଲ କରାଗଲା ନାହିଁ। ତଥାପି ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳକୁ ସହଯୋଗ କଲୁ। ଚଳିତ ଉପନିର୍ବାଚନରେ ବି ଆମକୁ ଅଣଦେଖା କଲେ। ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ବିଜେପୁର ଯାଇଥିଲେ । କିନ୍ତୁ ମୋତେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା। କର୍ମୀ ମହଲରେ ସନ୍ଦେହ ହେଲା ଯେ ଆମେ ଅନ୍ୟ ଦଳରୁ ଆସିଥିବାରୁ ବିଜେପି ପ୍ରକୃତରେ ଆମକୁ ବିଶ୍ବାସକୁ ନେଉ ନାହିଁ। ଏହି ଦଳ ବୋଧେ ‘ୟୁଜ୍ ଆଣ୍ଡ୍‌ ଥ୍ରୋ’ ରେ ବିଶ୍ବାସ କରୁଛନ୍ତି। ତେଣୁ ଆମେ ଭାବିଲୁ ବାରମ୍ବାର ଏମିତି ଯଦି ଅବହେଳା କରିବେ ଓ ପ୍ରତାରିତ କରିବେ, ଆମେ ଦୂରେଇ ଯିବା ଭଲ। ସେଥି ପାଇଁ ଇସ୍ତଫା ଦେଲି।

ବିଜେଡିକୁ ଯିବେ କି ବୋଲି ପ୍ରଶ୍ନରେ ‌ଶ୍ରୀ ପାଣିଗ୍ରାହୀ କହିଛନ୍ତି, ବିଜେଡିକୁ ଯିବାର ପ୍ରଶ୍ନ ଉଠୁନି। ମୁଁ ସେମାନଙ୍କ ସହ କିଛି ସମ୍ପର୍କ ରଖିନି। କର୍ମୀମାନଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି।

ଶ୍ରୀ ପାଣିଗ୍ରାହୀଙ୍କ ଇସ୍ତଫା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ୨୦୧୮ ଉପନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ତାଙ୍କ ପାଇଁ ଦଳର ବହୁ ପୁରୁଖା ନେତା ବିଜେପି ଛାଡ଼ି ଚାଲିଯାଇଥିଲେ। କିନ୍ତୁ ଏବେ ସେ ଦଳ ଛାଡ଼ିବା ପୂର୍ବରୁ ବିଜେଡି ନେତାଙ୍କ ସହ ଆଲୋଚନା କରିଛନ୍ତି। ବିଜେଡି ନେତାଙ୍କ ଚକ୍ରାନ୍ତରେ ସେ ଫସି ଯାଇଛନ୍ତି। ତାଙ୍କ ଇସ୍ତଫା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସମ୍ବନ୍ଧିତ ଖବର