ଭୁବନେଶ୍ୱର : ୧୨ଶହ ଶତାବ୍ଦୀର ଦୁଇଟି ବିରଳ ଅଷ୍ଟଧାତୁ ମୂର୍ତି ଜବତ ମାମଲାର ଖୋଳତାଡ଼ ଚାଲିଥିବା ବେଳେ କ୍ରାଇମ୍ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)କୁ ପୁଣି ସଫଳତା ମିଳିଛି। ଆଜି ଭୋର୍ରୁ ଚନ୍ଦକା ଥାନା ଅଧୀନ କାଟେଣୀ ଗ୍ରାମରେ ଚଢ଼ଉ କରି ୟୁସୁଫ୍ ମିର୍ଜା ଓରଫ ଲିଟୁ ଓ ଅମୀର ଖାନ୍ଙ୍କୁ ଏସ୍ଟିଏଫ୍ ଗିରଫ କରିଛି। ତାଙ୍କଠାରୁ ୫ କେଜି ଓଜନର ଏକ ବିରଳ ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଛି। ମୂର୍ତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି। ଗତ ଫେବ୍ରୁଆରି ମାସରେ ରାଧାକୃଷ୍ଣଙ୍କର ବିରଳ ତଥା ୧୨ଶହ ଶତାବ୍ଦୀର ଦୁଇଟି ମୂର୍ତ୍ତି ଏସ୍ଟିଏଫ୍ ଉଦ୍ଧାର କରିଥିଲା। ଏଥିରେ ସମ୍ପୃକ୍ତ ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗ୍ରାମର ସୟିଦ୍ ଜିଲ୍ନୁର ଓରଫ୍ ରାଜା ଓରଫ କଟକୁ ଗିରଫ କରାଯାଇଥିଲା। ତାକୁ ଏସ୍ଟିଏଫ୍ ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ପଚରାଉଚରା ବେଳେ କଟ ଏହି ରୢାକେଟ୍ ସମ୍ବନ୍ଧରେ ଅନେକ ତଥ୍ୟ ଓଗାଳିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ଘରେ ମୂର୍ତ୍ତି ଥିବା ଜାଣିବା ପରେ ଏସ୍ଟିଏଫ୍ ଘର ଉପରେ ନଜର ରଖିଥିଲା। ହେଲେ ଅଭିଯୁକ୍ତଦ୍ବୟ ଘରକୁ ଆସୁ ନଥିଲେ। ଏଣୁ ତାଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିଲା। ଆଜି ଅଭିଯୁକ୍ତଦ୍ବୟ ଘରକୁ ଆସୁଥିବା ଖବର ପାଇ ଏସ୍ଟିଏଫ୍ର ତଦନ୍ତକାରୀ ଅଧିକାରୀ ଘରକୁ ଘେରିଥିଲେ। ସେମାନଙ୍କୁ ଗିରଫ କରିବା ପରେ ଏସ୍ଟିଏଫ୍ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶାରୁ ନେପାଳ ପର୍ଯ୍ୟନ୍ତ ମୂର୍ତ୍ତି ଚୋରି ରୢାକେଟ୍ର ଚେର ଲମ୍ବିଥିବା ଜଣାପଡ଼ିଛି। ଏମାନଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି। ଖୁବ୍ଶୀଘ୍ର ଏହି ରୢାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବେ ବାଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏହି ଦୁଇ ଚୋର ରାଜ୍ୟର ବିଭିନ୍ନ ସ୍ଥାନରୁ ବିରଳ ତଥା ଅଷ୍ଟଧାତୁ ମୂର୍ତ୍ତି ଚୋରି କରି କଟ ପାଖରେ ପହଞ୍ଚାଉଥିଲେ। ସେଠାରୁ କଟ ମୂର୍ତିଗୁଡ଼ିକୁ ଦେଶ ବାହାରକୁ ପଠାଉଥିଲା। ବିଶେଷ କରି ଏହି ମୂର୍ତ୍ତିଗୁଡ଼ିକର ଚାହିଦା ନେପାଳରେ ସର୍ବାଧିକ ଥିଲା। ଅନ୍ୟ ଅନ୍ତର୍ଜାତୀୟ ବଜାର ଅପେକ୍ଷା ଏଠାରେ ମୂର୍ତ୍ତିର ମୂଲ୍ୟ ଦୁଇଗୁଣାରୁ ଅଧିକ ରହୁଥିଲା। ଏଣୁ ଚୋରି ହେଉଥିବା ସର୍ବାଧିକ ମୂର୍ତ୍ତି ନେପାଳ ଯାଉଥିଲା। ମୂର୍ତ୍ତି ପାଖରେ ରଖିଲେ ପୁଲିସର ଭୟ ଥିବାରୁ ବେଳେ ବେଳେ ନେପାଳ ଛଡ଼ା ଅନ୍ୟ ବଜାରରେ ବାଧ୍ୟ ହୋଇ ସେମାନେ ବିକ୍ରି କରୁଥିବା କହିଛନ୍ତି। ପୂର୍ବରୁ କଟ ପାଖରୁ ଜବତ ହୋଇଥିବା ମୂର୍ତ୍ତି ମଧ୍ୟରୁ ଗୋଟିକର ଓଜନ ୧୮ କେଜି ୪୪୦ ଗ୍ରାମ୍ ହୋଇଥିବା ବେଳେ ଅନ୍ୟଟିର ୧୨ କେଜି ୬୦ ଗ୍ରାମ୍ ଥିଲା। ଆଜି ଜବତ ମୂର୍ତ୍ତିର ଆକାର ଛୋଟ ଲାଗୁଥିଲେ ମଧ୍ୟ ଓଜନ ୫ କିଲୋଗ୍ରାମ୍ ରହିଛି। ଏହାକୁ ମଧ୍ୟ ନେପାଳ ଚାଲାଣ କରାଯିବା ପାଇଁ ଯୋଜନା ହୋଇଥିଲା। ତେବେ ଏହି ମୂର୍ତ୍ତି କେଉଁ ମନ୍ଦିରର ବା କେଉଁଠୁ ଆସିଛି ତାହା ଜଣାପଡ଼ି ନାହିଁ। ଏହାକୁ ଚିହ୍ନଟ କରିବା ପାଇଁ ଏସ୍ଟିଏଫ୍ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ)କୁ ଫଟୋ ସହ ଚିଠି ଲେଖିଛି।