ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଏଏସ୍‌ଆଇ ଡିଜି

କୋଣାର୍କ : ବିଶ୍ବଐତିହ୍ୟ ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ଅପସାରଣ କରାଯାଇ ସାଦା ପଥର ଲଗାଯିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କ ସମେତ ଏକ ଅଧିକାରୀ ଦଳ ଭୁବନେଶ୍ବର ଆସି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହିତ ଆଲୋଚନା କରି ଫେରିଥିଲେ। ମାତ୍ର ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସବୁ କଥାକୁ ଫାଙ୍କିବା ଉଦ୍ୟମ କରିଥିଲା। ତେବେ ଆଜି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଡିଜି ଉଷା ଶର୍ମା। ଅନ୍ୟପକ୍ଷରେ ଡିଜିଙ୍କ ଗସ୍ତକୁ କିଭଳି ସଂପୂର୍ଣ୍ଣ ଗୋପନୀୟ ରଖାଯାଇପାରିବ ସେ ନେଇ ଯୋଜନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଡିଜିଙ୍କ ଏହି ଅଚାନକ ପରିଦର୍ଶନକୁ ନେଇ ଏଏସ୍‌ଆଇ ଅଧିକାରୀ ଓ କର୍ମଚାରୀ ମହଲରେ ଆଲୋଚନା ଜୋର ଧରିଛି।

ଗତ ନଭେମ୍ବର ୨୧ରେ ଏଡିଜିଙ୍କ ପରିଦର୍ଶନ ରିପୋର୍ଟ ଆଧାରରେ ଆଜି ଡିଜି ମନ୍ଦିର ପରିଦର୍ଶନ କରିଥିବା କୁହାଯାଉଛି। ମନ୍ଦିରର ସ୍ଥିତି ଅନୁଧ୍ୟାନ ସମୟରେ ଲୁହା ପାଇପ ଘେରା ଅବସ୍ଥାକୁ ଦେଖି ସେ ଏ ସଂପର୍କରେ ପ୍ରଶ୍ନ କରିଥିଲେ। ତେବେ ତାଙ୍କ ସହିତ ଉପସ୍ଥିତ ଥିବା ଏଏସ୍‌ଆଇର ବରିଷ୍ଠ ଅଧିକାରୀ ତାଙ୍କୁ ଏହି ଲୁହା ପାଇପ ସିବିଆର୍‌ଆଇ ସ୍କାନିଂ ଓ କେମିକାଲ ପ୍ପ୍ରଲେପ ପାଇଁ ହୋଇଥିବାର ସୂଚନା ଦେଇ ମୂଳ ପ୍ରସଙ୍ଗରୁ ନଜର ହଟାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ତେବେ ବର୍ଷାଦିନେ ମନ୍ଦିରରେ ପାଣି ଜମିରହିବା, ଡିଜିଙ୍କ ଗସ୍ତ ସମୟରେ ମନ୍ଦିରର ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଭଳି ମୁଖ୍ୟ ପ୍ରସଙ୍ଗ ସଂପର୍କରେ ଡିଜିଙ୍କୁ ଅଧିକାରୀମାନେ ଅବଗତ କରାଇ ନାହାନ୍ତି।

ଏଏସଆଇ ଡିଜି ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ପରିଦର୍ଶନ କରିଥିଲେ। ଡିଜିଙ୍କର ଏହି ଗସ୍ତ ସମୟରେ ଏଏସଆଇର ଭୁବନେଶ୍ବର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ରସାୟନିକ ବିଭାଗ ସୁପରିଟେଣ୍ଡେଣ୍ଟ ଶିଳ୍ପା ରାତୁରୀ, ଏଏସ୍‌ଆଇର ପ୍ରଶାସନିକ ଅଧିକାରୀ ବି.କେ ଦାଶ, ଯନ୍ତ୍ରୀ ତପନ ଭଟ୍ଟାଚାର୍ଯ୍ୟ, ଡେପୁଟି ସୁପରିଟେଣ୍ଡେଣ୍ଟ ଡ଼. ରାଜୀବ ଦ୍ବିବେଦୀ, ସ୍ଥାନୀୟ ଅଧିକାରୀ ଚିତ୍ତରଂଜନ ଦାଶ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର