ଶ୍ରୀମନ୍ଦିର ନାଟ ମଣ୍ଡପ ସ୍ଥିତି ପରଖିଲେ ବିଶେଷଜ୍ଞ କମିଟି : ଦୁର୍ବଳ ଅଛି, ବିପଦ ନାହିଁ

ମରାମତି ପାଇଁ ତିନି ମାସ ସମୟ ନେଲେ

ପୁରୀ : ଶ୍ରୀମନ୍ଦିର ନାଟ ମଣ୍ଡପର ସ୍ଥିତି ଦୁର୍ବଳ ଥିଲେ ବି ଏହା ସେମିତି ବିପଦ ଅବସ୍ଥାରେ ନାହିଁ। ଗତ ତିନି ଦିନ ଧରି ନାଟ ମଣ୍ଡପକୁ ଯାଞ୍ଚ କରିବା ପରେ ଆଜି ଏଏସ୍‌ଆଇ ବିଶେଷଜ୍ଞ ଓ କୋର୍‌ କମିଟି ସଦସ୍ୟମାନେ ଏହାର ଅନୁଧ୍ୟାନ ପାଇଁ ଅଧିକ ତିନି ମାସ ସମୟ ନେଇଛନ୍ତି। ଆଜି ପାନ୍ଥ ନିବାସଠାରେ ବୈଠକ ପରେ ଏ ପ୍ରକାର ସୂଚନା ଦେଇଛନ୍ତି ଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କୋର୍‌ କମିଟିର ଅଧ୍ୟକ୍ଷ ଡକ୍ଟର ଆନନ୍ଦ ପ୍ରାଣ ଗୁପ୍ତା। ନାଟ ମଣ୍ଡପ ବିମ୍‌ରେ ରହିଥିବା ଫାଟର ମରାମତି ପୂର୍ବରୁ ପୁଣି ଥରେ ଏହାକୁ ଅନୁଧ୍ୟାନ କରାଯିବ। ମାଡ୍ରାସ ଆଇଆଇଟି ଟିମ୍‌ ନାଟ ମଣ୍ଡପ ବିମ୍‌ରେ ରହିଥିବା ଫାଟର ଅନୁଧ୍ୟାନ କରିବ। ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ଏହାର ଅନୁଧ୍ୟାନ କରିବା ପରେ ନାଟ ମଣ୍ଡପର ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ନାଟ ମଣ୍ଡପ ପାଇଁ ବର୍ତ୍ତମାନ ସେଭଳି କିଛି କିଛି ବଡ ବିପଦ ନଥିବା ଶ୍ରୀ ଗୁପ୍ତା ସ୍ପଷ୍ଟ କରିଛନ୍ତି।

ତିନି ଦିନର ଟିକିନିକ୍‌ ଯାଞ୍ଚ ପରେ ନାଟ ମଣ୍ଡପର ଦୁଇଟି ବିମ୍‌ରେ ଫାଟ ଥିବା ଜଣାପଡିଥିଲା। ଗୋଟିଏ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟଟି ମଧ୍ୟ ଦୁର୍ବଳ ରହିଥିବା ଜଣାପଡିଥିଲା। ବିମ୍‌ ଓ କଲମ୍‌ର ସ୍ଥିତି ଅନୁଧ୍ୟାନ ପାଇଁ ମାଡ୍ରାସ ଆଇଆଇଟିକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଛାତ ଅନୁଧ୍ୟାନ ପାଇଁ ଖଡଗପୁର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି। ନାଟ ମଣ୍ଡପର ଉତ୍ତର ଦକ୍ଷିଣପାର୍ଶ୍ୱ ଛାତରୁ ପାଣି ଗଳୁଛି। ମରାମତି କଲେ ଏ ସମସ୍ୟା ରହିବ ନାହିଁ ବୋଲି ବିଶେଷଜ୍ଞ କମିଟି କହିଛି। ଛାତର ସ୍ଥିତି ଓ ମୋଟେଇ କେତେ ରହିଛି ତାର ଅନୁଧ୍ୟାନ ଏବଂ ଛାତକୁ ଓ୍ଵାଟର ପ୍ରୁଫ୍‌ କରିବା ପାଇଁ କି ଯୋଜନା କରାଯିବ ସେ ନେଇ ଆଇଆଇଟି ଖଡଗପୁର ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦେବା ପରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି। ସେହିଭଳି ଜଗମୋହନରେ ବାୟୁ ଚଳାଚଳ (ଭେଣ୍ଟିଲେସନ୍‌) ଠିକ୍‌ ଭାବେ ହୋଇ ପାରୁନଥିବା ବିଶେଷଜ୍ଞ କମିଟି ଜାଣିବାକୁ ପାଇଥିଲେ। କାନ୍ଥରେ ଥିବା ପକେଟ୍‌ (ଠଣା)କୁ ପ୍ଲାଏ ଦେଇ ବନ୍ଦ କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ଭେଣ୍ଟିଲେସନ ପାଇଁ ତୁରନ୍ତ ଏହାର ଅପସାରଣ କରିବା ଲାଗି ମନ୍ଦିର ପ୍ରଶାସନକୁ କମିଟି ନିବେଦନ କରିଛି।

ପାରା ପଶିଯିବାର ଭୟ ଥିବାରୁ ପ୍ଲାଏ ବଦଳରେ ପକେଟ୍‌ ସ୍ଥାନରେ ଜାଲି ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ନାଟ ମଣ୍ଡପରେ ଚେନ୍ନାଇ ଆଇଆଇଟି ପକ୍ଷରୁ ଏକ ମନିଟରିଂ ସେଲ୍‌ ଲଗାଯିବା ସହିତ ଏହା ବିମ୍‌ ଫାଟର ସ୍ଥିତି ଅନୁଧ୍ୟାନ କରିବ। ଖୁବଶୀଘ୍ର ଏଏସ୍‌ଆଇ ପକ୍ଷରୁ ଏଷ୍ଟିମେଟ୍‌ କରାଯାଇ ନାଟ ମଣ୍ଡପ ଭିତର ଓ ବାହାର କାମ ହେବ। ତେବେ ବାହାର କାମ ପାଇଁ କିଛି ସମସ୍ୟା ନଥିବା ବେଳେ ଭିତର କାମ ପାଇଁ ପୂଜାନୀତିକୁ ଧ୍ୟାନ ଦିଆଯିବ। ଆଜିର ବୈଠକରେ ମାଡ୍ରାସ ଆଇଆଇଟିର ପ୍ରଫେସର ଅରୁଣ ମେନନ୍‌, ଅମ୍ଳାନ ସେନ୍‌ଗୁପ୍ତା, ଆଇଆଇଟି ଖଡଗପୁରର ପ୍ରଫେସର ଏସ୍‌.କେ. ଭଟ୍ଟାଚାର୍ଯ୍ୟ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଅଧିକ୍ଷକ ବିଜୟ ରଥ, ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ନନ୍ଦିନୀ ସାହୁ, ଏଏସ୍‌ଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ, ଏଏସ୍‌ଆଇର ପୂର୍ବତନ ଯୁଗ୍କ ଡିଜି ଏସ୍‌ବି ଓତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର