କୁଟୁରାଗଡ଼ ଦୁର୍ଗ ଅନୁଧ୍ୟାନ କରିବ ଏଏସ୍‌ଆଇ

ଭୁବନେଶ୍ବର : ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍‌ଖନନ ଓ ଅନୁ୍ଧ୍ୟାନ କରିବାକୁ ଅନୁମତି ପାଇଛି ଭୁବନେଶ୍ବରସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା। ‌ଗତ ଜୁନ୍‌ ମାସରେ ଶାଖା ‌ପକ୍ଷରୁ ଉତ୍‌ଖନନ ପାଇଁ ଆବେଦନ କରାଯାଇଥିବା ବେଳେ ଏବେ ଏଏସ୍‌ଆଇ ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ମିଳିଛି। ଚଳିତବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଅସୁରଗଡ଼ରେ ଉତ୍‌ଖନନ ହେବାକୁ ଥିବା ବେଳେ ରାୟଗଡ଼ାର ମୁନିଗୁଡ଼ା ପାଖରେ କୁଟୁରାଗଡ଼ଠାରେ ଥିବା‌ ପୁରାତନ ଦୁର୍ଗକୁ ଅନୁଧ୍ୟାନ କରିବ ଏଏସ୍ଆଇର ଏକ ପ୍ରତିନିଧି ଦଳ। ଏଥିପାଇଁ ଗତ ଦୁଇ ଦିନ ହେଲା ଉତ୍‌ଖନନ ଶାଖା‌ର ମୁଖ୍ୟ ସୁପରିଟେଣ୍ଡିଂ ଆର୍କିଲୋଜିଷ୍ଟ ଦିବିଶଦ ଗଡ଼ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଡେରା ପକାଇଛନ୍ତି।

ଶ୍ରୀ ଗଡ଼ନାୟକଙ୍କ ସୂଚନା ଅନୁଯାୟୀ କୁଟୁରାଗଡ଼ରେ ଥିବା ପୁରାତନ ଦୁର୍ଗର ସ୍ଥିତି ଉପ‌େର ଅନୁଧ୍ୟାନ କରାଯିବ। ଏହା କେ‌ବେ ନିର୍ମାଣ ହୋଇଥିଲା? ଏହାର ଗୁରୁତ୍ବ କ’ଣ ରହିଛି? କେଉଁ ରାଜାଙ୍କ ସମୟରେ ଏହି ଦୁର୍ଗ ନିର୍ମାଣ କରାଯାଇଥିଲା ଆଦି ବିଷୟ ଉପରେ ଅନୁଧ୍ୟାନ କରାଯାଇ ତଥ୍ୟ ସଂଗ୍ରହ କରାଯିବ। ତଥ୍ୟ ସଂଗ୍ରହ ଲାଗି ଏଠାରେ ଆସି ପହଞ୍ଚିଛୁ। ପାଗ ଅନୁକୂଳ ଥିବାରୁ ଏବେ ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ସମ୍ଭବପର ହୋଇ ନପାରେ। ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏଥର କେବଳ ଅସୁରଗଡ଼ରେ ଖନନ ପାଇଁ ଅନୁମତି ମିଳିବା ପରେ ଭୁବନେଶ୍ବର ଶାଖା ପଦ‌େକ୍ଷପ ଗ୍ରହଣ କରିଛି। ଅକ୍ଟୋବର ୨୬ରୁ ଅଶୁରଗଡ଼ରେ ଏଏସ୍‌ଆଇର କ୍ୟାମ୍ପ ଖୋଲାଯିବ। ଏଥିରେ ଏଏସ୍‌ଆଇର ଉତ୍‌ଖନନ ବିଭାଗର ଅଧିକାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର କର୍ମଚାରୀମାନଙ୍କୁ ସାମିଲ କରାଯିବ। ୬ ମାସ ଧରି ଏଏସ୍‌ଆଇ ସେଠାରେ ଉତ୍‌ଖନନ କରିବ। ଏପ୍ରିଲ୍‌ ସୁଦ୍ଧା ଉତ୍‌ଖନନ କାର୍ଯ୍ୟ ଶେଷ ହେବ। ଶ୍ରୀ ଗଡ଼ନାୟକଙ୍କ କହିବାନୁଯାୟୀ ବିଭିନ୍ନ ସମୟରେ ଅସୁରଗଡ଼ରେ ଉତ୍‌ଖନନ ହୋଇଛି। ଏଏସ୍‌ଆଇ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। କେଉଁ ସମୟରେ ଏଠାରେ ଜନବସତୀ ଗଢ଼ିଉଠିଥିଲା? ‌ଲୋକଙ୍କ ଚଲିଚଳଣି କିଭଳି ରହିଥିଲା? ସେମାନେ କେଉଁ ଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ? ଜୀବନଜାପନ ପ୍ରଣାଳୀ କିଭଳି ରହିଥିଲା ତାହା ଉପରେ ଗବେଷଣା କରାଯିବ।

ସମ୍ବନ୍ଧିତ ଖବର